ସାର ଅଭାବୀ ବିକ୍ରିକୁ ନେଇ ମୁଣ୍ଡରେ ହାତ ଦେଲେଣି ଚାଷୀ

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟରେ ସାର ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଚାଷୀ ବେଉଷଣ କାମ ସରିବା ପରେ ସାର ମୁଠେ ଜମିରେ ପକାଇ ଭଲ ଅମଳ କରିବେ ବୋଲି ଆଶା କରିଛନ୍ତି। ହେଲେ ରାଜ୍ୟରେ ସାର ନିଅଣ୍ଟିଆ, ଯୋଗାଣ ଯୋଗୁ ଚାଷୀ ସାର କିଣିବା ପାଇଁ ଗୋଦାମ, ଦୋକାନ ମାଲିକଙ୍କୁ ପାଖକୁ ଯାଉଛନ୍ତି। ହେଲେ ସାର ଯୋଗାଣ ସ୍ବଳ୍ପ ଯୋଗୁ ଚାଷୀମାନେ ବାହାରୁ ଚଢ଼ା ଦରରେ କିଣୁଛନ୍ତି। ବ୍ଲକରେ କେତେଜଣ ପଞ୍ଜିକୃତ ସାର ବ୍ୟବସାୟୀଙ୍କ ଗୋଦାମ ଗୃହ, କେତେ ସାର ମହଜୁଦ ରହିଛି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଏନ୍‌ଫୋର୍ସମେଣ୍ଟ ଟିମ ମଙ୍ଗଳବାର ଯାଞ୍ଚ ଆରମ୍ଭ କରିଛନ୍ତି। ବ୍ଲକ ଅଞ୍ଚଳର ରାମନଗର, ଖରିନାସୀ, ବଉଳକଣି ପଞ୍ଚାୟତରେ କେତେଜଣ ପଞ୍ଜିକୃତ ସାର ଗୋଦାମ ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଗୋଦାମ ଘରେ ସାରର ମାନ ପରୀକ୍ଷା କରିବା ସହ କେତେ ମହଜୁଦ ରହିଛି ଓ ଆବଶ୍ୟକ କାଗଜପତ୍ର ଟିମ୍‌ ପରଖି ଥିଲେ। ବେଆଇନ ସାର ବ୍ୟବସାୟୀ ଓ ଗୋଦାମ ଉପରେ ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି।
ଏହି ଟିମ୍‌ରେ ମହାକାଳପଡ଼ା ତହସିଲଦାର ଶିବ ମଲିକ, ବ୍ଲକ ଅତିରିକ୍ତ ସହକାରୀ କୃଷି ଅଧିକାରୀ ମୃତ୍ୟୁଞ୍ଜୟ ଦାସ, ରାମଚଣ୍ଡୀ ସର୍କଲ ରାଜସ୍ବ ଇନ୍ସପେକ୍ଟର ବିଜୟ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ବ୍ଲକ ଅତିରିକ୍ତ ସହକାରୀ କୃଷି ଅଧିକାରୀ ଦାସଙ୍କୁ ପଚାରିବାରେ ସାର ମହଜୁଦ କେତେ ରହିଛି ଓ ସାରର ମାନ ପରୀକ୍ଷା କରାଯାଇଥିଲା। ଆଗାମୀ ଦିନରେ ଯାଞ୍ଚ ପ୍ରକ୍ରିୟା କ୍ରିୟାଶୀଳ କରାଯିବ ବୋଲି ସେ କହିଛନ୍ତି।

Share