ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ ଧରି ଧାରଣାରେ ବସିଛନ୍ତି ଚାଷୀ। ସୂଚନା ଅନୁଯାୟୀ ଏହି ସମିତିରେ ୪୦୯ ଜଣ ଚାଷୀ ଧାନ ବିକ୍ରି ପାଇଁ ଅନଲାଇନ ପଞ୍ଜିକରଣ କରିଥିବା ବେଳେ ୨୪୮ ଜଣ ଚାଷୀଙ୍କୁ ଟୋକନ ମିଳିଛି। ସରକାର ଶୂନ୍ୟ କଟଣିଛଟଣୀ ଘୋଷଣା କରିଥିବାବେଳେ ଚାଷୀଙ୍କ ଧାନରୁ କୁଇଣ୍ଟାଲ ପ୍ରତି ୧୨ କେଜି କଟାଯାଉଥିବା, ପ୍ୟାଚ ପଡ଼ିଥିବା ଛିଣ୍ଡା ବସ୍ଥା ଦେବା ଅଭିଯୋଗ କରି ଚାଷୀମାନେ ବିଷ ବୋତଲ ଧରି ସମିତି ଆଗରେ ଧାରଣାରେ ବସିଛନ୍ତି। ଚାଷୀ ଲକ୍ଷ୍ମୀପ୍ରିୟା ରାଉତ, ମହେନ୍ଦ୍ର ଦାସ, ସହଦେ ରାଉତ, ଦିବାକର ପାତ୍ର, ଜୟନ୍ତ ପାତ୍ରଙ୍କ ସହ ଅନ୍ୟ ଚାଷୀମାନେ ଧାରଣାରେ ବସିଛନ୍ତି। ଖବରପାଇ ସୁପର ଭାଇଜିଙ୍ଗ ଅଫିସର ବାବାଜୀ ଚରଣ ମଲ୍ଲିକ, କ୍ୱାଲିଟି କଣ୍ଟ୍ରୋଲ ଅଫିସର ମଧୁ ସ୍ମିତା ସେନାପତି, ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛନ୍ତି।

 

Dharitri – The Largest & Most Trusted Odia Daily