ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ ବିକିପାରୁନାହାନ୍ତି। ଫଳରେ ଖରିଫ୍ ଚାଷ ଲାଗି କରିଥିବା ଧାର ଉଧାର ଶୁଝିପାରୁନାହାନ୍ତି ଏବଂ ଅର୍ଥାଭାବରୁ ରବିଚାଷ ପାଇଁ ତଳି ପକାଇବାକୁ ଧାନବିହନ କ୍ରୟ କରିପାରୁନାହାନ୍ତି। ଏହାକୁ ନେଇ ବିନିକା ବ୍ଲକର ଚାଷୀ ଧର୍ମରାଜ ପଣ୍ଡା, ରିଣ୍ଟୁ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଶନିବାର ରାସ୍ତାକୁ ଓହ୍ଲାଇଥିଲେ। ବିନିକା ବ୍ଲକ ପଣ୍ଡକିଟାଲ-ସଂସାମୁରା ରାସ୍ତାର କଉଡ଼ିଆମୁଣ୍ଡା ଛକଠାରେ ଧାନବସ୍ତା ରଖି ସକାଳ ୮ରୁ ରାସ୍ତା ଅବରୋଧ କରିଥିଲେ। ପ୍ରତିବାଦସ୍ୱରୂପ ନିକିତି ବଟକରା ଧରି ଚାଷୀମାନେ ଧାନ କେଜି ୧୦ ଟଙ୍କାରେ ଖୁଚୁରାରେ ବିକ୍ରି କରିବାକୁ ବସିଥିଲେ। ସରକାର ଆମ ଧାନ କିଣ କହି ରାସ୍ତା ଉପରେ ମୁଣ୍ଡିଆ ମାରିବା ଦେଖାଯାଇଥିଲା।
ଚାଷୀଙ୍କ କହିବା ଅନୁଯାୟୀ, ଶଙ୍କରା ପାକ୍ସରେ ଗତ ୯ ତାରିଖରୁ ମଣ୍ଡି ଖୋଲିଥିଲେ ହେଁ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଛି। ବ୍ଲକର ବିଭିନ୍ନ ମଣ୍ଡି ନାମକୁମାତ୍ର ଖୋଲିଥିଲେ ହେଁ ଧାନ କିଣାହେଉନାହିଁ।
୧୦ ଟଙ୍କାରେ ଧାନ …
ଅମଳ ସାରି ଧାନ ବିିକ୍ରି କରିବାକୁ ଚାହିଁବସିଥିବାବେଳେ ଟୋକନ ମିଳିନାହିଁ। ଅନନ୍ୟୋପାୟ ହୋଇ ସେମାନେ କମ୍ ଦାମ୍ରେ ବେପାରୀଙ୍କୁ ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅନ୍ୟପଟେ ରବିଧାନ ଲାଗି ତଳି ପକାଇବା ପାଇଁ ସେମାନଙ୍କ ହାତରେ ଅର୍ଥ ନାହିଁ। ଏପରି ସ୍ଥିତିକୁ ହୃଦୟଙ୍ଗମ କରି ସରକାର ଅବିଳମ୍ୱେ ଚାଷୀଙ୍କୁ ଟୋକନ ଉପଲବ୍ଧ କରାଇବା ସହ ଧାନକିଣାରେ ଚାଲିଥିବା ଅଚଳାବସ୍ଥାକୁ ଦୂର କରିବା ଜରୁରୀ ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଆନ୍ଦୋଳନ ଚଳାଇଥିଲେ ହେଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ଶେଷରେ ଅପରାହ୍ନ ୩ଟାରେ ଚାଷୀମାନେ ରାସ୍ତା ଅବରୋଧରୁ ହଟିଥିଲେ ହେଁ ଆନ୍ଦୋଳନ ଚାଲିବ ବୋଲି କହିଥିଲେ। ସ୍ଥିତିରେ ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍ଦାର କରାଯିବ ବୋଲି ଚାଷୀମାନେ କହିଛନ୍ତି l