ଭଞ୍ଜନଗର,୪।୮(ବାବୁଲା ପ୍ରଧାନ)ଷଣ୍ଡିରେ ଖରିଫ ଧାନ ଫସଲ ବିକ୍ରି ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଚାଷୀ ପଞ୍ଜିକରଣ ଚାଲିଛି। ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକରୁ ଅଧିକ ଯୋଗ୍ୟ ଚାଷୀ କିଭଳି ନିଜ ନାମକୁ ନିଜ ଅଞ୍ଚଳର ସୋସାଇଟିରେ ପଞ୍ଜିକରଣ କରିବେ ସେଥିପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ସୋମବାର ବାହାରିଥିଲା। ଏହାକୁ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ଏହି ଅବସରରେ ସେ ଯୋଗ୍ୟ ଚାଷୀମାନେ କିଭଳି ନାମ ପଞ୍ଜିକରଣ କରିପାରିବେ ସେ ନେଇ କହିଥିଲେ। ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆସନ୍ତା ନଭେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲାର ଭଞ୍ଜନଗରରେ ମଧ୍ୟ ଖରିଫ ଧାନ କ୍ରୟ କାର୍ଯ୍ୟ ସମ୍ପାଦନ କରାଯିବ। ଏଥିପାଇଁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ଆଗୁଆ ପଞ୍ଜିକରଣ କରିବେ। ଏଥିପାଇଁ ସୋମବାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଦୁଇଟି ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
ଏହି ରଥ ଉପଖଣ୍ଡର ସମସ୍ତ ବ୍ଲକ ପରିକ୍ରମା କରି ପଞ୍ଜିକରଣ ବାବଦରେ ଚାଷୀ ଭାଇଙ୍କୁ ସଚେତନ କରିବ। ଚାଷୀ ପଞ୍ଜିକରଣ ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଛି। ମସ୍ତ ଆଗ୍ରହୀ ଚାଷୀ ନିକଟସ୍ଥ ସମିତିରୁ ଗୋଟିଏ ନୂତନ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଚଳିତ ମାସ ୨୦ ତାରିଖ ମଧ୍ୟରେ ସମିତି କାର୍ଯ୍ୟାଳୟରେ ଆବେଦନ କରିବେ।
ପଞ୍ଜିକରଣ ପାଇଁ ଇଚ୍ଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ ଆଧାର କାର୍ଡ଼,ମୋବାଇଲ ନମ୍ବର, ଜମି ପ୍ରମାଣପତ୍ର, ଜମି ମାଲିକଙ୍କ ସହମତି ପତ୍ର (ଭାଗଚାଷୀଙ୍କ ପାଇଁ), ରେକର୍ଡ଼ଧାରୀଙ୍କ ଠାରୁ ସହମତି ପତ୍ର (ନିଜ ବ୍ୟତୀତ)ତଥ୍ୟର ନକଲ ଦାଖଲ କରିବା ଆବଶ୍ୟକ । ଚାଷୀ ପଞ୍ଜିକରଣ ସମୟରେ ଆଧାର ଭିତ୍ତିକ ଇ-କେୱାଇସି ଜରୁରୀ ଅଟେ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଚାଷୀମାନେ ସମିତିରେ ପୂରଣ କରାଯାଇଥିବା ଫର୍ମ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଖରିଫ ଧାନ ସଂଗ୍ରହ ସଂକ୍ରାନ୍ତିରେ କେଉଁ ମାସ ଓ ପକ୍ଷରେ ଧାନ ବିକ୍ରୟ କରିବେ ତାହା ପଞ୍ଜିକରଣ ଫର୍ମରେ ଉଲ୍ଲେଖ କରିବେ। ଚାଷୀମାନେ ଶେଷ ତାରିଖକୁ ଅପେକ୍ଷା ନକରି ଅନୁମୋଦିତ ଫର୍ମରେ ଦରଖାସ୍ତ ଦାଖଲ କରିବାକୁ ଭାଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଧାନ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ସରକାରଙ୍କ ଲକ୍ଷ୍ୟ। ଯଦି କୌଣସି ଅଭିଯୋଗ ଥାଏ ତେବେ ଦେୟମୁକ୍ତ ନମ୍ବର ୧୯୬୭ରେ ସରକାରୀ କାର୍ଯ୍ୟ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ। ଅବଧି ପୂର୍ବରୁ ଚାଷୀ ଭାଇ ମାନେ ପଞ୍ଜୀକରଣ କରିବାକୁ ଆର୍ଏମସି ସମ୍ପାଦକ ସୁମନ୍ତ ସାହୁ ଅନୁରୋଧ କରିଛନ୍ତି।