ଧର୍ମଶାଳା,୧୫।୯( ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀଙ୍କ ପାଦୃଭାବ ବଢ଼ିବାରେ ଲାଗିଛି। ଉତ୍ତରପ୍ରତାପ, ରାଉତରାପୁର, ଦେଓଦା, ମଙ୍ଗଳପୁର ଓ ଅରବଳ ଏହି ୫ ଗୋଟି ପଞ୍ଚାୟତ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାରୁ ବର୍ଷକ ବାରମାସ ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ମାତ୍ର ଏବେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀମାନେ ଅହରହ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତ। ଯାହାକି ଚାଷୀଙ୍କ ଦୁଃଖର କାରଣ ହୋଇଛି। ଯଦି ଚାଷୀ ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି, ତେବେ ସ୍ଥାନୀୟ ଅସାମାଜିକ ଯୁବକମାନେ ବଜରଙ୍ଗ ଦଳର ସଭ୍ୟକହି ଗଣ୍ଡଗୋଳ ତଥା ମାରଧର କରୁଛନ୍ତି । ଫଳରେ କୃଷକଟି ଚାଷ କାର୍ଯ୍ୟ ଛାଡିବା ପାଇଁ ବାଧ୍ୟ ହେଉଛି । ଯାହାର ପ୍ରଭାବ ବର୍ତ୍ତମାନ ରାଜ୍ୟ ଓ ଦେଶ ଉପରେ ପଡ଼ୁଛି ।
ତେବେ ବୁଲା ଷଣ୍ଢ ମାନଙ୍କୁ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିବା ଗୋଶାଳାକୁ ନେବାର ବନ୍ଦୋବସ୍ତ କିମ୍ବା ଉକ୍ତ ଦୀପାଞ୍ଚଳ ଅଞ୍ଚଳରେ ନୂତନକରି ଗୋ-ଶାଳା ନିର୍ମାଣ କରି ଷଣ୍ଢମାନଙ୍କୁ ସ୍ଥାୟୀ ଭାବେ ରଖିବାର ବ୍ୟବସ୍ଥା କରିବା ନେଇ ଧର୍ମଶାଳା କୃଷକ ମଞ୍ଚ ସଭାପତି ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଧର୍ମଶାଳା ତହସିଲଦାରଙ୍କୁ ପ୍ରଦାନ କରିଥିବା ବେଳେ ଏହାର ନକଲ ଜିଲାପାଳ, ବିଡ଼ିଓ, ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦଦିଆଯାଇଛି। ଏଥିରେ କୃଷକ ନେତା ବସନ୍ତ କୁମାର ପରିଡା,କୁଳମଣି ମଳିକ,ସମ୍ପାଦକ ସଞ୍ଜୟ ରାଉତ,ଗୟାଧର ସେଠି,ରାଜକିଶୋର ଶତପଥୀ, ନାରାୟଣ ରାଉତ,ଅଜୟ ରାଉତ,ହେମନ୍ତ ବଳ, ମାୟାଧର ରାଉତ,ମନୋଜ ମଳିକ,ପ୍ରଭାତ କୁମାର ରାଉତ, ଅଭିରାମ ବରାଳ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।