ବିଲକୁ ଯାଇଥିବାବେଳେ ବାର୍‌ହା ସହ ମୁହାଁମୁହିଁ ହୋଇଗଲେ ଚାଷୀ, ତା’ପରେ…

ଭୁବନ,୬।୧( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ଥାନା ଏକତାଳି ଗ୍ରାମର ଅରୁଣ ମନ୍ତ୍ରୀ (୬୫) ମଙ୍ଗଳବାର ବାର୍‌ହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସେ ସକାଳ ସମୟରେ ବାଦାମ ବିଲକୁ ଯାଇଥିବା ବେଳେ ବାର୍‌ହା ସହ ମୁହାଁମୁହିଁ ହୋଇଯାଇଥିଲେ। ବାଦାମ ଓପାଡୁଥିବାବେଳେ ବାର୍‌ହାଟି ଚାଷୀଙ୍କୁ କାମୁଡ଼ି କ୍ଷତ ବିକ୍ଷତ କରିଦେଇଥିଲା। ବାରମ୍ବାର ଅଞ୍ଚଳବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ କେୌଣସି ସୁବିଧା ନ ମିଳିବାରୁ ଯୁବକମାନେ ଗୁରୁତର ଚାଷୀଙ୍କୁ ଏକ ମୋଟର ସାଇକେଲ ଯୋଗେ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ ଖବରପାଇ ଭୁବନ ବନାଞ୍ଚଳ ରେଞ୍ଜର ରାକେଶ କୁମାର ଦଳେଇ ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିଥିଲେ । କ୍ଷତ ହୋଇଥିବା ଚାଷୀଙ୍କୁ ରିପୋର୍ଟ ପରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ପଥର ମାଫିଆମାନେ ପାହାଡ ଉପରେ ବିସ୍ଫୋରଣ କରୁଥିବା କାରଣରୁ ବନ୍ୟ ଜନ୍ତୁମାନେ ଜଙ୍ଗଲରୁ ଆସି ଅନେକ ଲୋକଙ୍କୁ ଆକ୍ରମଣ କରୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି ।

Dharitri – The Largest & Most Trusted Odia Daily

Share
Tags: odisha