ଷ୍ଟାଡିୟମରେ ପଶି ରୋହିତଙ୍କୁ ଜବରଦସ୍ତି ଚୁମ୍ବନ ଦେଲେ ପ୍ରଶଂସକ: ଆଉ ତା’ପରେ…

ମୁମ୍ବାଇ,୧୪।୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟୁର୍ନାମେଣ୍ଟ ପାଇଁ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆ ଘୋଷଣା କରାଯାଇ ନାହିଁ। ମଙ୍ଗଳବାର ରୋହିତ ଅଭ୍ୟାସ ପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ସେ ରଣଜୀ ଖେଳାଳିମାନଙ୍କ ସହିତ ଅଭ୍ୟାସ କରୁଥିଲେ। ଏହି ସମୟରେ ରୋହିତଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ମ୍ୟାଚ ସମୟରେ ଜଣେ ପ୍ରଶଂସକ ରୋହିତଙ୍କୁ ଚୁମ୍ବନ ଦେଇଥିଲେ।

ଏହି ଘଟଣାଟି ବହୁତ ପୁରୁଣା। ରୋହିତ ଏକ ଘରୋଇ ମ୍ୟାଚ ଖେଳୁଥିଲେ। ମ୍ୟାଚ ସମୟରେ ଜଣେ ପ୍ରଶଂସକ ସୁରକ୍ଷାବଳୟ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ସେ ଆସିବା ମାତ୍ରେ ପ୍ରଥମେ ରୋହିତଙ୍କ ପାଦ ଛୁଇଁଥିଲେ। ଏହା ପରେ ସେ ତାଙ୍କୁ କୁଣ୍ଢେଇ ପକାଇ ଚୁମ୍ବନ ଦେଇଥିଲେ। ଏହି ସମୟ ମଧ୍ୟରେ ରୋହିତ ତାଙ୍କୁ ଦୂରେଇ ଦେବାକୁ ଚେଷ୍ଟା କରିଚାଲିଥିଲେ। କିନ୍ତୁ ପ୍ରଶଂସକ ଜଣକ ଶୁଣି ନ ଥିଲେ।
ଅଷ୍ଟ୍ରେଲିଆ ଗସ୍ତରେ ରୋହିତଙ୍କ ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ଥିଲା। ଆଡିଲେଡ ଟେଷ୍ଟରେ ଅଧିନାୟକ ରୋହିତ ମାତ୍ର ୯ ରନ କରି ଆଉଟ ହୋଇଥିଲେ। ସେ ପ୍ରଥମ ଇନିଂସରେ ୩ ରନ ଏବଂ ଦ୍ୱିତୀୟ ଇନିଂସରେ ୬ ରନ କରିଥିଲେ। ବ୍ରିସବେନରେ ସେ ୧୦ ରନ କରି ପାଭିଲିୟନ ଫେରିଥିଲେ। ମେଲବୋର୍ନରେ ମଧ୍ୟ ରୋହିତ କିଛି ବିଶେଷ କରିପାରି ନ ଥିଲେ। ପ୍ରଥମ ଇନିଂସରେ ୩ ଏବଂ ଦ୍ୱିତୀୟ ଇନିଂସରେ ୯ ରନ କରିବା ପରେ ସେ ପାଭିଲିୟନ ଫେରିଥିଲେ। ଏବେ ରୋହିତ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ମୁମ୍ବାଇ ରଣଜୀ ଦଳ ସହିତ ଖେଳୁଛନ୍ତି।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭାରତ ଏବଂ ପାକିସ୍ତାନ ବ୍ୟତୀତ ସମସ୍ତେ ସେମାନଙ୍କର ଦଳ ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଖୁବ ଶୀଘ୍ର ଦଳ ଘୋଷଣା କରିପାରେ।

 

Share