Categories: ମେଟ୍ରୋ

ଫନୀ ବଦଳାଇଲା ବାସସ୍ଥାନ

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଓଡ଼ିଶାରେ ୨୦୧୯ ମେ’ ରେ ଫନୀ ବାତ୍ୟା ଅନେକ କ୍ଷୟକ୍ଷତି କରିଥିଲା। ତେବେ ଫନୀ ପାଇଁ ଏକ ବ୍ଲାକ କାଇଟ ବା ମାଟିଆ ଚିଲର ବାସସ୍ଥାନ ବଦଳିଯାଇଛି। ଏହି ବନ୍ୟପ୍ରାଣୀଟି ଏବେ ଓୟୁଏଟି ଭେଟେରିନାରୀ ସର୍ଜରି ବିଭାଗରେ ରହୁଛି। ବାତ୍ୟା ପରେ ଦୁଇଜଣ ଛାତ୍ର ଆହତ ଚିଲକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଣିଥିଲେ। ଏହା ବନ୍ୟପ୍ରାଣୀ ହୋଇଥିବାରୁ ବନ ବିଭାଗର ଅନୁମତି ଆଣିବା ପାଇଁ ଭେଟେରିନାରୀ ସର୍ଜରି ବିଭାଗର ମୁଖ୍ୟ ପ୍ରଫେସର ଡା. ଇନ୍ଦ୍ରମଣି ନାଥ ତାଙ୍କୁ କହିଥିଲେ। କିନ୍ତୁ ସେମାନେ ଆଉ ଆସି ନ ଥିଲେ। ଆହତ ଚିଲର ଡେଣା ଭାଙ୍ଗିଯାଇଥିବାରୁ ଡା. ନାଥ ଚିକତ୍ସା କରିଥିଲେ। ଚିଲଟିର ୪ ଥର ପିନିଂ କରାଯାଇଥିଲା, କିନ୍ତୁ ତାହା ଖସିଯାଇଥିଲା। ତେବେ ସର୍ଜରି ବିଭାଗରେ କାର୍ଯ୍ୟରତ ଟିକମ ପ୍ରତିଦିନ କୁକୁଡ଼ା ପୁଟି ଆଣି ଚିଲକୁ ଖୁଆଇବାକୁ ଦେଉଛନ୍ତି। ଗୋଟିଏ ଡେଣା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଚିଲଟି ଉଡ଼ିପାରୁନାହିଁ। କିନ୍ତୁ ଉତ୍ତମ ସେବା ପାଇ ସୁସ୍ଥ ରହିଛି। ଏ ନେଇ ଡାକ୍ତର ନାଥ କହିଛନ୍ତି, କାହା ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ଆମ ପାଖରେ ମାନବ ସମ୍ବଳ ନାହିଁ। ଚିକିତ୍ସା କରିବା ଆମ କାମ। ଆମେ ଏତେ ଲମ୍ବା ସମୟ ଧରି ଚିଲଟିର ଜୀବନ ବଞ୍ଚେଇ ରଖିବାରେ ସକ୍ଷମ ହୋଇଛୁ, ତାହା ଆମ ପାଇଁ ବଡ଼ କଥା।