ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର ସହର ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ତୋଲ, ଝାଞ୍ଜ ସାଙ୍ଗକୁ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏଠାରେ ୩ଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ଗୌଡ଼ ପୁଞ୍ଜା ଓ ବିପତ୍ତି ହାରିଣି ତେଲି ପୁଞ୍ଜା ଭାବେ ରହିଛନ୍ତି।

ଯାତ୍ରା ଉଦ୍‌ଯାପନୀ ଅବସରରେ ହଜାର ହଜାର ଭକ୍ତ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହା ସାଙ୍ଗକୁ ମାନସିକ ପୂରଣ ଲାଗି ଶତାଧିକ ମହିଳା ଶ୍ରଦ୍ଧାଳୁ ପ୍ରଚଣ୍ଡ ଖରାରେ ପୋଖରୀ ତୁଠରେ ଅଧିଆ ପଡିଥିଲେ। ଅଧିଆ ପଡ଼ିଲେ ନିଜ ମନସ୍କାମନା ପୂରଣ ହେବା ସହ ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ଏହି ବିଶ୍ୱାସ ନେଇ ମହିଳାମାନେ ଅଧିଆ ପଡ଼ିଥାନ୍ତି।

ଦୀର୍ଘ ୨୧ଦିନ ଧରି ମାନସିକଧାରୀ ଭକ୍ତ ଘର ଛାଡି ସନ୍ୟାସୀ ଭାବେ ଆସି ଦଣ୍ଡ ଯାତ୍ରାରେ ଭୂକ୍ତା ଭାବେ ସାମିଲ ହୋଇଥାନ୍ତି। ଏପରି କି ଶିବ, କାଳୀଙ୍କୁ ସାଙ୍ଗରେ ଧରି ଖାଲି ପାଦରେ ଚାଲି ବିଭିନ୍ନ ଗ୍ରାମ ପରିକ୍ରମା କରିଥାନ୍ତି।

ରାତି ଅନିଦ୍ରା ରହି ଦିନକୁ ଥରେ ଖାଦ୍ୟ ଖାଇ ବ୍ରତ କରିଥାନ୍ତି। ଏପରିକି ମାନସିକଧାରୀ ଦାଣ୍ଡରେ କଠୋର ନୃତ୍ୟ କରିଥାନ୍ତି। ମଧ୍ୟାହ୍ନର ଟାଣ ଖରାରେ ଧୂଳି ଦଣ୍ଡ କରାଯାଉଥିବା ବେଳେ ପୋଖରୀରେ ପାଣିଦଣ୍ଡ ଓ ରାତିରେ ଅଗ୍ନି ଦଣ୍ଡ ପରିବେଷଣ କରି ମାନସିକ ପୂରଣ କରିଥାନ୍ତି। ମେରୁ ଯାତ୍ରାରେ ମୁଖ୍ୟ ପାଟ ଭୂକ୍ତାଙ୍କୁ ଅଗ୍ନି କୁଣ୍ଡରେ ଲଟକାଇ ରଖାଯିବା ପରେ ଦଣ୍ଡ ଯାତ୍ରା ସମାପନ ହୋଇଥିଲା।