ପ୍ରସିଦ୍ଧ ଦେବଗଡ ଗଣେଶ ମେଳା: ଏତିକି ଟଙ୍କାରେ ନିଲାମ ହେଲା ଶ୍ରୀଗଣେଶଙ୍କ ଆଶୀର୍ବାଦ ଲଡୁ

ଦେବଗଡ,୫।୯(ଶଶାଙ୍କ ଶେଖର ଝାଙ୍କର):ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବଗଡ ଗଣେଶ ମେଳାର ନବମ ଦିନରେ ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁ ନିଲାମ ହୋଇଛି। ଏହି ନିଲାମରେ ଭାଗ୍ୟଶାଳୀ ବିଜେତା ଭାବେ ଦୁବାଇରେ ରହୁଥିବା ‘ପାୱାର ଅଫ ଷ୍ଟକ୍ସ’ର ସିଇଓ କଲା ଗ୍ରାମର ଶୁଭାଶିଷ ପାଣିଙ୍କ ୨ ମାସର ଶିଶୁପୁତ୍ର ଶୁଭ ପାଣି ଶ୍ରୀଣେଶଙ୍କ ଆଶୀର୍ବାଦ ଲଡୁକୁ ୨ଲକ୍ଷ ୧୧ ହଜାର ଟଙ୍କା ମୂଲ୍ୟରେ ହାସଲ କରିଛନ୍ତି।

ଶୁଭଙ୍କ ପକ୍ଷରୁ ତାଙ୍କର ଅଜା ଦେବଗଡ ଜିଲା ବାରକୋଟ ବ୍ଲକ କଲା ଗ୍ରାମର(ରାଜ୍ୟ ସରପଂଚ ମହାସଂଘର କୋଷାଧ୍ୟକ୍ଷ)ସତ୍ୟନାରାୟଣ ପାଣି ଓ ଆଇ ଜିଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି ଏହି ନିଲାମ ଡାକିଥିଲେ। ସେହିପରି ସ୍ଥାନୀୟ ସିଦ୍ଧି ପ୍ରଜ୍ଞା ବେହେରା ଦ୍ୱିତୀୟ ସର୍ବାଧିକ ଡାକ ୨ଲକ୍ଷ ୬ହଜାର ୬୬୬ଟଙ୍କା ଡାକିଥିଲେ । ଆଜି ସନ୍ଧ୍ୟାରୁ ରାତ୍ରୀ ପର୍ଯ୍ୟନ୍ତ ସ୍ଥାନୀୟ ଗୋପବନ୍ଧୁ ଛକ ସ୍ଥିତ ସାଂସ୍କୃତିକ ମଂଚରେ ନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏହି ଅବସରରେ ସାର୍ବଜନୀନ ଗଣେଶ ମେଳା କମିଟୀର ସଭାପତି ରାଜକିଶୋର ଦାଶଙ୍କ ସଭାପତିତ୍ୱ ତଥା ପୂର୍ବତନ ସଭାପତି ଉମାଶଙ୍କର ସାହୁ ଓ ଉପସ୍ଥାପକ ବିଦେଶୀ ସାହୁଙ୍କ ସଂଯୋଜନାରେ ନିଲାମ ଅନୁଷ୍ଠିତ ହୋଇଥିଲା । ଦେବଗଡ ଗଣେଶ ମେଳା ଚଳିତବର୍ଷ ୭୭ ବର୍ଷରେ ପଦାର୍ପଣ କରିଥିବାରୁ ଚଳିତ ବର୍ଷ କମିଟି ପକ୍ଷରୁ ୭୭କିଲୋ ଓଜନର ଆଶୀର୍ବାଦ ଲଡୁ ପ୍ରସ୍ତୁତ ହୋଇଥିଲା । ଏହାପରେ ପୁରୋହିତ ମନୋରଞ୍ଜନ ଶତପଥିଙ୍କ ଦ୍ୱାର ଯତାବିଧର ପୂଜାର୍ଚ୍ଚନା ପରେ ବିଜେତା ଶୁଭଙ୍କ ଅଜା ଶ୍ରୀଯୁକ୍ତ ପାଣି ଓ ଆଇ ଶ୍ରୀମତି ପାଣିଙ୍କୁ ଆଶୀର୍ବାଦ ଲଡୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାର୍ବଜନୀନ ଗଣେଶ ମେଳା କମିଟିର ଉପ ସଭାପତି ପ୍ରଦୀପ କୁମାର ଅମାନ୍ତ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ଓ ସନ୍ତୋଷ କୁମାର ସାହୁ , କୋଷାଧ୍ୟକ୍ଷ ଶିବ ଚରଣ ସାହୁ, ସାଂସ୍କୃତିକ ସମ୍ପାଦକ ସୁଜିତ କୁମାର ପାତ୍ର, ଆଲୋକ କୁମାର ଅମାନ୍ତ, ଦୀପନ କୁମାର ନାୟକ ଓ ଦେବଶଙ୍କର ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସମେତ କମିଟୀର ବହୁ ସଦସ୍ୟ ଓ କର୍ମକର୍ତା ସକ୍ରୀୟ ସହଯୋଗ କରିଥିଲେ ।