ଗଞ୍ଜାମ,୦୬।୧୧(ଅଖିଳ ତରାଇ): ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବ ପୀଠର ବାଲିଯାତ୍ରା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ପବିତ୍ର କାର୍ତ୍ତିକ ମାସ ଯୋଗୁ ଏଠାରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି।
ବୁଧବାର ସନ୍ଧ୍ୟାଠାରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାରେ ଦୁଇଟି ପୌରାଣିକ ରାମାୟଣ ନାଟକ ପରିବେଷଣ କରାଯାଉଛି। ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଆସି ପ୍ରଭୁ ବଟେଶ୍ୱରଙ୍କ ଦର୍ଶନ କରୁଛନ୍ତି। ଦର୍ଶକମାନେ ଯାତ୍ରା ଦେଖିବା ସହିତ ବାହାରୁ ଆସିଥିବା ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିବା ସହ ଖାଇବାର ମଜା ନେଉଛନ୍ତି।
ଠାକୁରଙ୍କ ଦର୍ଶନ ସାଙ୍ଗକୁ ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭାରାଜି, ଝାଉଁ, କାଜୁ ଜଙ୍ଗଲ, ଏବଂ ସୁନ୍ଦର ପାର୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଶାନ୍ତି ଶୃଙ୍ଖଳା ସହ ଶ୍ରଦ୍ଧାଳୁମାନେ ଯେପରି ଦର୍ଶନ କରିପାରିବେ, ସେଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।