ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ ଥିବା ପନାସ ଆପାର୍ଟମେଣ୍ଟର ୧୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ ତାଙ୍କ ଶେଷ ମୁହୂର୍ତ୍ତରେ ହାତ ଯୋଡ଼ି ପ୍ରାର୍ଥନା କରିବା ପରେ ଏଭଳି ଚରମ ପଦକ୍ଷେପ ନେଇଥିବା ଦେଖାଯାଇଛି। ତେବେ ସେ କେଉଁ କାରଣରୁ ଏଭଳି ବଡ଼ ନିଷ୍ପତ୍ତି ନେଲେ ସେ ନେଇ ନାନାଦି ଆଲୋଚନା ହେଉଛି।
ରିପୋର୍ଟ ଅନୁଯାୟୀ, ମୁଲତାନି ବେକେରୀର ମାଲିକ ସୁନୀଲ ସଦରଙ୍ଗାନୀ ଗୁରୁବାର ଅପରାହ୍ନରେ, ବିଜୟପୁର ରୋଡରେ ଥିବା ଉକ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେ ଲିଫ୍ଟ ବ୍ୟବହାର ନ କରି ସିଧା ସିଡ଼ି ଦେଇ ୧୭ ମହଲାକୁ ଯାଇଥିଲେ। ତାଙ୍କୁ ହାତ ଯୋଡ଼ି ଛାତ ଉପରେ ଠିଆ ହୋଇଥିବା ଦେଖି ତଳେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସ୍ଥାନୀୟ ଲୋକମାନେ ତୁରନ୍ତ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ।
କୁହାଯାଉଛି ଯେ ସୂଚନା ପାଇବା ପରେ, ସୁରକ୍ଷାକର୍ମୀ ତୁରନ୍ତ ଉପର ମହଲାକୁ ଯାଇ ସଦାରଙ୍ଗାନୀଙ୍କୁ ବୁଝାଇ ତଳକୁ ଆଣିଥିଲେ। କିନ୍ତୁ, ତଳକୁ ଆସିବା ପରେ, ସେ ଗାର୍ଡଙ୍କୁ ଚାବି ଉପରେ ଛାଡି ଦେଇଥିବା କହି ପୁନର୍ବାର ଛାତକୁ ଯାଇଥିଲେ। ଶେଷରେ ସେ ୧୭ ମହଲାରୁ ଡେଇଁ ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଘଟଣା ବିଷୟରେ ପୋଲିସ ସୂଚନା ପାଇ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ଏଯାବତ ଆତ୍ମହତ୍ୟା ପଛର ସଠିକ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।

Dharitri – Odisha’s No.1 Odia Daily

Share