ମୃତ ଡାକ୍ତରଙ୍କ ପରିବାରକୁ ଟଙ୍କା ଯାଚିନାହିଁ: ମମତା

କୋଲକାତା,୧୦ା୯: କୋଲକାତା ଆର୍‌.ଜି. କର ହସ୍ପିଟାଲର ମହିଳା ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ କଦାପି ଟଙ୍କା ଯାଚି ନ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ଡାକ୍ତରଙ୍କ ପରିବାରକୁ ଟଙ୍କା ଯଚାଯାଇଥିବା, ମାମଲାକୁ ଚାପିଦେବାକୁ ପୋଲିସ ଉଦ୍ୟମ କରିଥିବା ଆଦି ଅଭିଯୋଗ କେବଳ ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀ ଦଳର ଅପପ୍ରଚାର। ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଉତ୍ତେଜନା ବଢ଼ାଇବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଚଳାଇଥିଲେ। କେତେକ ବାମଦଳ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ମମତା ଅଭିଯୋଗ କରିଛନ୍ତି। ମୃତ ଡାକ୍ତରଙ୍କ ପରିବାର ତାଙ୍କ ଝିଅଙ୍କ ସ୍ମୃତିରେ କିଛି କରିବାକୁ ଚାହୁଁଥିଲେ ରାଜ୍ୟ ସରକାର ସେମାନଙ୍କ ସହ ରହିଛନ୍ତି। ଟଙ୍କା ଯାଚିବା ଅଭିଯୋଗ କେବଳ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ କହିଛନ୍ତି। ପଡୋଶୀ ଦେଶର ଅଶାନ୍ତ ସ୍ଥିତିରୁ ମଧ୍ୟ କେତେଜଣ ଫାଇଦା ଉଠାଉଛନ୍ତ ବୋଲି ମମତା ବାଂଲାଦେଶକୁ ଲକ୍ଷ୍ୟ କରି କହିଛନ୍ତି। ଅନ୍ୟପକ୍ଷରେ ମମତା ମିଛ କହୁଥିବା ମହିଳା ଡାକ୍ତରଙ୍କ ମାଆ ଅଭିଯୋଗ କରିଛନ୍ତି। କୋଲକାତା ପୋଲିସ ତାଙ୍କ ପରିବାରକୁ ଟଙ୍କା ଯାଚିଥିଲା ବୋଲି ସେ କହିଛନ୍ତି।