ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା ବାପାକୁ ଦୁଇପୁଅ ଅତି ନୃଶଂସ ଭାବରେ ପିଟିପିଟି ମାରିଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀଙ୍କଠାରୁ ଏହାର ଖବରପାଇ ପୁରୁଷୋତ୍ତମପୁର ଆଇଆଇସି ରାଜେଶ କୁମାର ନାୟକ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପା ଗୋପାଳକୃଷ୍ଣ ସାହୁଙ୍କ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଦୁଇପୁଅ ପିଣ୍ଟୁ ସାହୁ ଓ ରଞ୍ଜନ ସାହୁଙ୍କୁ ଗିରଫ କରି ତଦନ୍ତ ଚଲାଇଛନ୍ତି।

ସୂଚନାଯୋଗ୍ୟ, ମୃତ ଗୋପାଳଙ୍କ ପରିବାର ଗରିବ ଶ୍ରେଣୀର ଅଟନ୍ତି। ତାଙ୍କର ଦୁଇପୁଅ ଦୁଇଝିଅ ରହିଛନ୍ତି। ପ୍ରାୟ ଦଶବର୍ଷତଳେ ବଡଝିଅର ବିବାହ ସରିଥିବା ବେଳେ ଦୁଇମାସ ତଳେ ସାନଝିଅର ବିବାହ ସରିଛି। ମାତ୍ର ଦୁଇ ପୁଅ ଅବିବାହିତ ରହିଛନ୍ତି। କରଜକୁ ନେଇ ପରିବାରରେ ଅଶାନ୍ତି ଲାଗିରହିଥିଲା। ବିଭିନ୍ନ ପ୍ରକାରର ସମାଲୋଚନା ଓ ଋଣ ଭାରର ରାଗକୁ ନେଇ ଗୋପାଳକୃଷ୍ଣ ତାଙ୍କ ପତ୍ନୀ ସୀତା ଉପରେ ରାଗ ସୁଝାଇ ମାରପିଟ୍‌ କରୁଥିଲେ। ସୋମବାର ମଧ୍ୟ ଗୋପାଳ ଏକ ଲୁହାରଡରେ ତାଙ୍କ ପତ୍ନୀଙ୍କୁ ମାଡମାରିବାକୁ ଉଦ୍ୟମ କରିବାବେଳେ ଦୁଇ ପୁଅ ପ୍ରତିବାଦ କରିଥିଲେ। ହେଲେ ଗୋପାଳ କାହାରି କଥା ଶୁଣି ନ ଥିଲେ। ଓଲଟା ମାଡ ମାରିବାକୁ ଯାଇଥିଲେ। ମା’ ଉପରେ ସବୁଦିନେ ହେଉଥିବାଏଭଳି ମାଡକୁ ପୁଅମାନେ ଆଉ ସହ୍ୟ କରିପାରି ନ ଥିଲେ। ବାପାଙ୍କ ହାତରୁ ଲୁହାରଡ ଛଡାଇ ଦୁଇ ପୁଅ ଓଲଟା ବାପାଙ୍କୁ ନିର୍ମମ ଭାବେ ପିଟିପିଟି ମାରିଦେଇଥିଲେ। ଦୁହେଁ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି। ପୋଲିସ ତଦନ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।