Categories: Home Middleଖେଳ

ମିଛ ଖେଲୋ ଇଣ୍ଡିଆ ବିଜ୍ଞାପନ: ସାଇର ତଦନ୍ତ ଦାବି

ନୁଆଦିଲ୍ଲୀ,୫।୧୧(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଏକ ମିଛ ବିଜ୍ଞାପନ ଜରିଆରେ ଆଥଲେଟମାନଙ୍କୁ ଧୋକା ଦିଆଯିବା ପରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ନେଇ ସାଇ ମାମଲା ରୁଜୁ କରିଛି ଓ ଯଥାଶୀଘ୍ର ତଦନ୍ତ କରିବାକୁ ଦାବି କରିଛି।
ଆସନ୍ତାବର୍ଷ ହରିୟାଣାର ପଞ୍ଚକୁଲାରେ ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିଭିନ୍ନ ସୋସିଆଲ ମିଡିଆରେ ଏ ନେଇ ଏକ ମିଛ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏହି ଇଭେଣ୍ଟରେ ଭାଗ ନେବାକୁ ଇଚ୍ଛୁକ ଥିବା ଆଥଲେଟମାନେ ଆବେଦନ କରିବାକୁ ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ଆଥଲେଟ ଏଥିରେ ପ୍ରଭାବିତ ହୋଇଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଓ ଗେମ୍ସ କ୍ୟାମ୍ପରେ ସାମିଲ ହେବା ପାଇଁ ଆଥଲେଟମାନଙ୍କୁ ୬,୦୦୦ ଟଙ୍କା ଡିପୋଜିଟ୍‌ କରିବାକୁ କୁହାଯାଇଥିଲା। ଏହି ବିଜ୍ଞାପନରେ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରଣାଳୟର ଲୋଗୋ ବ୍ୟବହାର କରାଯାଇଥିଲା। ବହୁ ଆଥଲେଟ୍‌ ଏ ନେଇ ଦ୍ୱନ୍ଦ୍ୱରେ ରହିଥିଲେ। ଆଥଲେଟମାନେ ଏହାକୁ ସରକାରଙ୍କ ବିଜ୍ଞାପନ ବୋଲି ଧରି ନେଇଥିଲେ। ଫଳରେ ବହୁ ଆଥଲେଟ ଠକାମିର ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।
ଇତିମଧ୍ୟରେ ସାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବ୍ୟାଙ୍କ ଡିଟେଲ୍ସ ସମ୍ପର୍କରେ ଜାଣିବାକୁ ପାଇଛି ଓ ଯଥାଶୀଘ୍ର ଏ ନେଇ ତଦନ୍ତ କରିବାକୁ ଦାବି କରିଛି। ବିଜ୍ଞପନରେ ଏକ ଫୋନ୍‌ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ବ୍ୟକ୍ତିଜଣକ ଆଗ୍ରାରେ ରହୁଛନ୍ତି ବୋଲି ସାଇ ତରଫରୁ କୁହାଯାଇଛି। ଉତ୍ତରପ୍ରଦେଶ ପୋଲିସ ନିକଟରେ ସାଇ ମାମଲା ରୁଜୁ କରିଛି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସର ଚତୁର୍ଥ ସଂସ୍କରଣ ଆୟୋଜନ ହେବ।
ଖେଲୋ ଇଣ୍ଡିଆ ସରକାରଙ୍କର ଏକ ସ୍କିମ୍‌ ଓ ଆଥଲେଟମାନଙ୍କୁ ଏଥିରେ ସାମିଲ ହେବା ପାଇଁ କୌଣସି ଅର୍ଥ ଦେବାକୁ ହୋଇ ନ ଥାଏ ବୋଲି ସାଇ ତରଫରୁ ସ୍ପଷ୍ଟ କରାଯାଇଛି। ତେବେ ଏହି ଇଭେଣ୍ଟରେ ସାମିଲ ହେବା ପାଇଁ ଆଥଲେଟମାନଙ୍କୁ ସ୍କୁଲ୍‌ ଗେମ୍ସ, ୟୁନିଭର୍ସିଟି ଗେମ୍ସରେ ଭଲ ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିବାକୁ ହୋଇଥାଏ।

Share