ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି: ତଳିଆ କର୍ମଚାରୀ ବହିଷ୍କୃତ, ଖସିଗଲେ ବଡ଼ବଡ଼ିଆ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଧାନ ମାସମାସ ଧରି ମଣ୍ଡିରେ ପଡ଼ି ରହିଛି। ଅଥଚ ମଣ୍ଡିକୁ ନ ଆସି ବେପାରୀ(ମଧ୍ୟସ୍ଥ)ଙ୍କ ଜରିଆରେ ସିଧାସଳଖ ଯାଉଥିବା ଧାନ ବିକ୍ରି ହେଉଛି। ଏହି କଥା ନୂଆଁ ନୁହେଁ। ତେବେ ଧାନ କିଣାବିକାରେ ଚାଲୁଥିବା ଫଲ୍ସ ଏଣ୍ଟ୍ରି ଅଭିଯୋଗକୁ ନେଇ ଧରିତ୍ରୀରେ ପ୍ରତିବର୍ଷ ବିସ୍ତୃତ ଖବର ପ୍ରକାଶ ପାଇ ଆସୁଥିଲା। ମାତ୍ର ପ୍ରଶାସନ ଏହାକୁ ସବୁବେଳେ ହାଲୁକାଭାବେ ନେଉଥିଲା। କିନ୍ତୁ ଏଭଳି ଫଲ୍ସ ଏଣ୍ଟ୍ରିର ପ୍ରମାଣ ଗତ ମଙ୍ଗଳବାର ଧରିତ୍ରୀ ହାତରେ ଲାଗିଥିଲା ଏବଂ ବୁଧବାର ଧରିତ୍ରୀରେ ସଚିତ୍ର(ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନ୍‌ଜିଟ୍‌ ପାସ୍‌ କମ୍‌ ଏକ୍‌ସେପଟାନ୍ସ ନୋଟ୍‌ କପି) ଖବର ପ୍ରକାଶ ପାଇବା ପରେ ଘଟଣାକୁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର ସହିତ ନେଇଛନ୍ତି। ଧରିତ୍ରୀରେ ଖବର ପ୍ରକାଶପାଇବା ଦିନ ହିଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ତଦନ୍ତ ରିପୋର୍ଟ ପାଇବା ପରେ ସୋମବାର ଏଥିରେ ସମ୍ପୃକ୍ତ ୨ବିଭାଗୀୟ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି। ସେମାନେ ହେଲେ, ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ବିଜେପୁର ବ୍ଲକ ବଡ଼ ବାଉଁଶେନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଅଧୀନ ଖରମୁଣ୍ଡା ମାର୍କେଟ୍‌ ୟାର୍ଡ(ମଣ୍ଡି)ର ଇନଚାର୍ଜ ମୀନକେତନ ସାହୁ ଏବଂ ଏଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ରଞ୍ଜନ କୁମାର ସାହୁ। ସେହିପରି ପାକ୍ସ ସମ୍ପାଦକ ଦୀପକ କୁମାର ସାହୁଙ୍କୁ ଏହି ଘଟଣା ଉପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେବେ ମଣ୍ଡିରେ ଧାନ ପକାଇ ବିକ୍ରି ପାଇଁ ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡୁଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କେବଳ ୨ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରି ଅନ୍ୟ ବଡ଼ବଡ଼ିଆ ଅଧିକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ଗତବର୍ଷ ଡିସେମ୍ବର ୨୭ତାରିଖରୁ ଘଟିଥିଲା, ତେବେ ଧାନ ସଂଗ୍ରହ ପ୍ରକ୍ରିୟାରେ ଆର୍‌ଏମ୍‌ସିଠାରୁ ଆରମ୍ଭ କରି ପାକ୍ସ ଏବଂ ରାଜ୍ୟ ଯୋଗାଣ ନିଗମ ପର୍ଯ୍ୟନ୍ତ ତଥ୍ୟ ଉପଲବ୍ଧ ରହିଥିଲା। କିନ୍ତୁ ଘଟଣାର ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ବିତିଯିବା ସତ୍ତ୍ୱେ ସମସ୍ତ ବିଭାଗ ସେଥିପ୍ରତି କିଭଳି ଆଖି ବୁଜି ଦେଇଥିଲେ, ତାକୁ ନେଇ ବର୍ତ୍ତମାନ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର ୨୭ତାରିଖ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ବଡ଼ବାଉଁଶେନ ଅନ୍ତର୍ଗତ ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଖରମୁଣ୍ଡା ଧାନ କ୍ରୟକେନ୍ଦ୍ର(ଏମ୍‌ୱାଇ୦୩୭୧୨)ରେ ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ି(ନଂ-ଓଡି୧୭କେ ୪୪୯୭)ରେ ୨ଟି ରାଇସ୍‌ ମିଲ୍‌କୁ ଯଥାକ୍ରମେ ୧୮୫ ପ୍ୟାକେଟ୍‌(୮୩.୭୨ କୁଇଣ୍ଟାଲ) ଏବଂ ୧୬୦ପ୍ୟାକେଟ୍‌(୬୫.୩୧ କୁଇଣ୍ଟାଲ) ଧାନ ଯାଇଥିବା ବିଭାଗୀୟ କାଗଜାତ ତଥା ଟ୍ରାନ୍‌ଜିଟ୍‌ ପାସ୍‌ କମ୍‌ ଏକସେପ୍‌ଟାନ୍ସ ନୋଟ୍‌ କପିରେ ଉଲ୍ଲେଖ ରହିଛି। ୫ମିନିଟ୍‌ ବ୍ୟବଧାନରେ ଏତେ ପରିମାଣରେ ଧାନ ଗୋଟିଏ ମଣ୍ଡିରୁ ଲୋଡ୍‌ କରି ଅନ୍ୟ ୨ମଣ୍ଡିରେ ଅନ୍‌ଲୋଡ୍‌ କରିବା କୌଣସି ଯାନବାହନ ପକ୍ଷରେ ସମ୍ଭବ ହେଉ ନ ଥିବାରୁ ଫଲ୍ସଏଣ୍ଟ୍ରିରେ ଏଭଳି କୌଶଳ ଅବଲମ୍ବନ କରାଯାଉଥିବା ସ୍ପଷ୍ଟ ହୋଇଯାଇଛି। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ସତ ସାମ୍ନାକୁ ଆସିଥିଲା। ଜିଲାପାଳ ଗୋୟଲ ମଧ୍ୟ ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଯେଉଁ ବିଭାଗ ଏହାର ତଦନ୍ତ କରିଥିଲା, ସମ୍ପୃକ୍ତ ବିଭାଗର ବିନା ସମ୍ପୃକ୍ତିରେ ଏଭଳି ଅନିୟମିତତା ସମ୍ଭବ ନୁହେଁ ବୋଲି ବିଭିନ୍ନ ଚାଷୀ ସଂଗଠନ ଦୀର୍ଘବର୍ଷରୁ ଅଭିଯୋଗ କରି ଆସୁଛନ୍ତି ଏବଂ ତଦନ୍ତ ସରିବା ପରେ ଧରିତ୍ରୀରେ ମଧ୍ୟ ରବିବାର ‘ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ’ ଶୀର୍ଷକ ଏକ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ତେବେ ସୋମବାର ସେହି ଆଶଙ୍କା ସତ ହୋଇଛି ଏବଂ ବଡ଼ବଡ଼ିଆ ଅଧିକାରୀ, କର୍ମଚାରୀଙ୍କୁ ବାଦ୍‌ ଦେଇ ଏଭଳି ଏକ ବଡ଼ ଅନିୟମିତତାରେ କେବଳ ୨ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଧାନ କିଣାବିକା ସମୟରେ ଫଲ୍ସ ଏଣ୍ଟ୍ରି ନୂଆ ନୁହେଁ। ସବୁଥର ଏଭଳି ହୋଇ ଆସୁଛି। ଆଜି ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ପ୍ରଭାବଶାଳୀ ନୁହେଁ, ଧର୍ମକୁ ଆଖିଠାର ଭଳି। ଏହାର ଯଦି ଭଲଭାବେ ତଦନ୍ତ କରାଯିବ, ବଡ଼ବଡ଼ିଆ ଲୋକେ ଧରାପଡ଼ିବେ। ଫଳରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେଥିରେ ଆମେ ସନ୍ତୁଷ୍ଟ ନୋହୁଁ। ଯଦି ଠିକ୍‌ଭାବେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ଆମ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ।

 

Dharitri – Odisha’s No.1 Odia Daily