ଇସଲାମାବାଦ,୨୬।୨: ଘରୋଇ ମଇଦାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳରେ ଅଶାନ୍ତି ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠାରୁ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଦଳର ଜଣେ ବଡ଼ ଖେଳାଳି ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମରୁ ଆସୁଥିବା ରିପୋର୍ଟ ଅନୁସାରେ, ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବଂ ଚାମ୍ପିଅନ୍ସ ଟ୍ରଫି ୨୦୧୭ ଫାଇନାଲ ହିରୋ ଫଖର ଜମାନ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବାମହାତୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ଖୁବ୍ଶୀଘ୍ର ଏହାକୁ ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ।
୨୯ ବର୍ଷ ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନକୁ ଦୃଢ଼ ପ୍ରଦର୍ଶନ ଆଶା କରାଯାଉଥିଲା, କିନ୍ତୁ ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଦଳ ପ୍ରଶଂସକମାନଙ୍କୁ ବହୁତ ନିରାଶ କରିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିପକ୍ଷରେ ପରାଜୟ ସହିତ ଦଳ ପ୍ରଥମ ରାଉଣ୍ଡରୁ ବାଦ ପଡ଼ିଛି। ସେବେଠାରୁ ସମସ୍ତେ ଦଳର ଖେଳାଳିଙ୍କୁ ଟ୍ରୋଲ୍ କରୁଛନ୍ତି। ପୂର୍ବତନ କ୍ରିକେଟର ଏବଂ ଗଣମାଧ୍ୟମ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ଦଳରେ ପରିବର୍ତ୍ତନ ଦାବି କରୁଛନ୍ତି।
ପ୍ରଶଂସକଙ୍କ ଦାବି ମଧ୍ୟରେ ପାକିସ୍ତାନର କିମ୍ବଦନ୍ତୀ ଓପନର ଫଖର ଜମାନ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ସାମା ଟିଭିର ରିପୋର୍ଟ ଅନୁଯାୟୀ, ୩୪ ବର୍ଷୀୟ ଫଖର ଜମାନ ଏ ବିଷୟରେ ତାଙ୍କର ନିକଟତମ ଲୋକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ କହିଛନ୍ତି ଯେ ସେ ଅବସର ନେବାକୁ ଯାଉଛନ୍ତି। ଖବ୍ଶୀଘ୍ର ସେ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା ମଧ୍ୟ କରିବେ। କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଫଖର ଖୁବ ଶୀଘ୍ର ପାକିସ୍ତାନ ଛାଡି ତାଙ୍କ ପରିବାର ସହିତ ଅନ୍ୟ ଦେଶରେ ରହିବାକୁ ଯୋଜନା କରୁଛନ୍ତି। ଚାମ୍ପିଅନ୍ସ ଟ୍ରଫି ପରାଜୟ ପରେ ପାକିସ୍ତାନୀ ଦଳର ଏହା ବିପର୍ଯ୍ୟୟ ସାବ୍ୟସ୍ତ ହେବ।
ଫଖରଙ୍କ ODI କ୍ୟାରିଅର ମଧ୍ୟ ୨୦୧୭ ଚାମ୍ପିଅନ୍ସ ଟ୍ରଫି ସହିତ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟର ଫାଇନାଲରେ ସେ ଭାରତ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରି ତାଙ୍କ ଦଳକୁ ଚାମ୍ପିଅନ କରିଥିଲେ। ଏବେ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ବିଦାୟ ନେବା ସହିତ ତାଙ୍କ କ୍ୟାରିଅରର ଅନ୍ତ ହେବାକୁ ଯାଉଛି। ଫଖର ୮୬ଟି ଦିନିକିଆ ମ୍ୟାଚ୍ରେ ୪୬ ହାରରେ ୩୬୫୧ ରନ କରିଛନ୍ତି, ଯେଉଁଥିରେ ୧୧ ଶତକ ଏବଂ ୧୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସେ ପାକିସ୍ତାନ ପାଇଁ ODIରେ ଦ୍ୱିଶତକ ହାସଲ କରିଥିବା ଏକମାତ୍ର ବ୍ୟାଟସମ୍ୟାନ।