ଦୁଗ୍ଧର ଉଚିତ ଦାମ୍‌ ଦିଆଯାଉ

ବୌଦ୍ଧ,୧୭।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବୀରନରସିଂହପୁର ଦୁଗ୍ଧ ସମିତିରେ ଚାଷୀଙ୍କଠାରୁ କମ୍‌ ଦାମ୍‌ରେ କ୍ଷୀର କିଣାଯାଉଛି। ଏ ନେଇ ଚାଷୀମାନେ ଗୁରୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ପୂର୍ବରୁ ଓମ୍‌ଫେଡ ଆନାଲାଇଜର ମେଶିନ ଦ୍ୱାରା କ୍ଷୀରର ମାନ ନିର୍ଦ୍ଧାରଣ କରି ଖାଣ୍ଟି କ୍ଷୀର ଲିଟର ପ୍ରତି ୬୦ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ପାଖରୁ କିଣୁଥିଲା। ଏବେ କିନ୍ତୁ ତାହା ୩୦ଟଙ୍କା ୯୪ ପଇସାରେ ସୀମିତ ରହିଛି। ଫଳରେ ଚାଷୀମାନେ ଉନ୍ନତମାନର କ୍ଷୀର ଦେଇ କମ୍‌ ପଇସା ପାଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ଦୃଷ୍ଟି ଦେବାକୁ ଚମ୍ପେଶ୍ୱର ମିଶ୍ର, ରମେଶ ଗାଇଗରିଆ, ବାବାଜୀ ପାତ୍ର, କୃତିବାସ ପଲିଆ ପ୍ରମୁଖ ଦୁଗ୍ଧଚାଷୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।