ଟିକା ଲାଗି ଶୀତଳଭଣ୍ଡାର ସୁବିଧା କର

ନୂଆଦିଲ୍ଲୀ, ୨୫ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାର ସୁରକ୍ଷା ଓ ଏହାର ତ୍ୱରିତ ବଣ୍ଟନ ଉପରେ ମଙ୍ଗଳବାର ଜୋର୍‌ ଦେଇଛନ୍ତି। ସମସ୍ତଙ୍କ ଲାଗି ସୁରକ୍ଷିତ ଟିକା ସୁବିଧା ଓ ଟିକାର ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେ କହିଛନ୍ତି। ଟିକା ପରିଚାଳନା ନେଇ ପ୍ରତ୍ୟେକ ରାଜ୍ୟ ସରକାର ଜିଲା ଓ ବ୍ଲକସ୍ତରରେ ଟାସ୍କଫୋର୍ସ ଗଠନ କରିବା ସହ ଶୀତଳ ଭଣ୍ଡାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ସର୍ବାଧିକ କରୋନା କବଳିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶ ତଥା ରାଜ୍ୟରେ କରୋନା ସ୍ଥିତି, ପ୍ରସ୍ତୁତି ଓ ଟିକାକରଣ ନେଇ ଆଲୋଚନା କରିଛନ୍ତି।
ଟିକା ବଣ୍ଟନ ନେଇ ରାଜ୍ୟଗୁଡ଼ିକ ସମନ୍ବୟ ରକ୍ଷାକରିବା ସହ ଶୀତଳ ଭଣ୍ଡାର ନିର୍ମାଣ କରିବା ଜରୁରୀ ବୋଲି ମୋଦି କହିଛନ୍ତି। ଅକ୍ସଫୋର୍ଡ ଟିକା ୯୦% ପ୍ରଭାବୀ ହୋଇଥିବାବେଳେ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଘରୋଇ ବଜାରକୁ ୫୦% ଡୋଜ୍‌ ଦେବାକୁ ପ୍ରତିଶ୍ରୁତି ଦେଇଛି। ହେଲେ ରାଜ୍ୟଗୁଡ଼ିକ ସଂକ୍ରମଣ ଓ ମୃତ୍ୟୁହାର କମାଇବା ଲାଗି ପ୍ରୟାସ କରିବା ଦରକାର। ପରୀକ୍ଷା ପଦ୍ଧତି ଓ ଡାଟାକୁ ସର୍ବାଧିକ ଗୁରୁତ୍ୱ ଦେବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ଆସିବା ପରେ ପ୍ରଥମେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ ଓ ସଫେଇ କର୍ମଚାରୀ, ତୃତୀୟ ପର୍ଯ୍ୟାୟରେ ବୟସ୍କ (୫୦ ବର୍ଷରୁ ଊର୍ଦ୍ଧ୍ୱ) ଓ ଚତୁର୍ଥ ପର୍ଯ୍ୟାୟରେ ଅସୁସ୍ଥ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ। ବୈଠକରେ ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, କର୍ନାଟକ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀମାନେ ବୈଠକରେ ସେମାନଙ୍କ ରାଜ୍ୟରେ କରୋନା ସ୍ଥିତି, ସଂକ୍ରମଣର କାରଣ ଓ ପ୍ରତିକାର ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ। ଦିଲ୍ଲୀରେ ପୁନଃ ସଂକ୍ରମଣ ନେଇ ମୋଦି ଚିନ୍ତା ପ୍ରକଟ କରିଥିଲେ। ପ୍ରକାଶଥାଉ କି, ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କେତେକ ନିର୍ଦ୍ଦେଶନାମା ଜାରି କରିଥିଲେ। ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବା, ସିରିଞ୍ଜ, ଛୁଞ୍ଚତ୍, ପରିବହନ ବ୍ୟବସ୍ଥା, ଶୀତଳ ଭଣ୍ଡାର ପ୍ରସ୍ତୁତି ସମ୍ପର୍କରେ ସେ କହିଥିଲେ।