ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ ସାଜସଜ୍ଜାରେ ବ୍ୟସ୍ତ ଅଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦିନକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନେଇ ତିଳେ ମାତ୍ର ସମ୍ଭାବନା ନଥିଲେ ମଧ୍ୟ ଶୁକ୍ରବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜି.ଉଦୟଗିରି ପୋଲିସ ତରଫରୁ ଆଇଆଇସି ବିଜୟ କୁମାର ସାଇଁଙ୍କ ନେତୃତ୍ୱ ଶୁକ୍ରବାର ସନ୍ଧ୍ୟାରେ ରଟିଙ୍ଗିଆ, ଡକେଡ଼ି, ରୁଦାଙ୍ଗିଆ, ଗଦଗୁଡ଼ା, ପେନାଲା ଆଦି ଗ୍ରାମରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେରେ ଆୟୋଜିତ ଏହି ଫ୍ଲାଗ ମାର୍ଚ୍ଚରେ ଏଏସଆଇ ରବିନ୍ଦ୍ର ସେଠୀ,ବଣ୍ଟି ଦଣ୍ଡିଆଙ୍କ ସମେତ ମହିଳା ପୁରୁଷ ପୋଲିସ ବାହିନୀ ସାମିଲ ହୋଇଥିଲେ। ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୋଲିସ ବିଭାଗ ତରଫରୁ ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଦିଆଯିବା ସହ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ, ତା ସହ ଆମ ଅଞ୍ଚଳରେ ସେପରି କୌଣସି ସମ୍ବେଦନଶୀଳ ସ୍ଥିତି ନାହିଁ ବୋଲି କହିଛନ୍ତି ଅଧିକାରୀ।