ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷଜମିରେ ବାରହା ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସହରର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟରେ ପହଞ୍ଚି କ୍ଷତିପୂରଣ ପାଇଁ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଗତ କିଛିଦିନ ହେଲା ସଞ୍ଜ ହେବା ମାତ୍ରେ କଷ୍ଟ ଉପାର୍ଜିତ ଧାନ ଫସଲକୁ ବାରହା ମୁଁହରୁ ରକ୍ଷା କରିବା ନିମନ୍ତେ ଚାଷୀ ବାରହା ସହିତ ଛକାପଞ୍ଝା ହେଉଛି। ବିଳମ୍ବିତ ରାତି ଯାଏଁ ଚାଷୀମାନେ ହାତରେ ଠେଙ୍ଗାବାଡ଼ି ଧରି ଜମି ରେ ପହରା ଦେଉଛନ୍ତି। ଚଳିତବର୍ଷ ଠିକଣା ସମୟରେ ବର୍ଷା ହେବାରୁ ଧାନ ଓ ପନିପରିବା ଫସଲ ଭଲ ହୋଇଥିଲା। ବାତ୍ୟା ମୋନ୍ଥା ପ୍ରଭାବରେ ପନିପରିବା ଫସଲ ପ୍ରାୟତଃ ନଷ୍ଟ ହୋଇଯାଇଥିବା ବେଳେ ଧାନ ଫସଲ ବଞ୍ଚି ଯାଇଥିଲା। ବର୍ଷକରେ ଥରୁ ଟିଏ ଧାନଚାଷ କରି ବର୍ଷକ ପାଇଁ ଦାନା ଯୋଗାଡ଼ କରିଥାଏ ଚାଷୀ। କିନ୍ତୁ ଫସଲ ଅମଳ ବେଳକୁ ବାରହା ଫସଲ ନଷ୍ଟ କରିଦିଅନ୍ତି। ବାରହା ପଲ ଦିନସାରା ନିକଟସ୍ଥ ଜଙ୍ଗଲ ଓ ଲଟା ବୁଦା ରେ ଲୁଚି ରହୁଛନ୍ତି। ସା ହେବା ମାତ୍ରେ ଧାନ କିଆରୀକୁ ମାଡି ଆସୁଛନ୍ତି। ଯେତିକି ଖାଉଛନ୍ତି ତା ଠାରୁ ଢେର ଅଧିକ ନଷ୍ଟ କରୁଛନ୍ତି। ଏଥିଯୋଗୁ ବ୍ୟାଙ୍କ ଓ ଲୋକଙ୍କ ଠାରୁ କଳନ୍ତର ଆଣିଥିବା ଋଣ କିପରି ପରିଶୋଧ କରିବେ ସେହି ଚିନ୍ତା ଏବେ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ହେଲେ ବନବିଭାଗ ବାରହା ପଲ ଘଉଡାଇବା ପାଇଁ ଓ କ୍ଷତିପୂରଣ ଦେବା ବାବଦରେ ସହଯୋଗ କରୁନଥିବା ନେଇ ଚାଷୀ ପି.ଶିବଶଙ୍କର,କିଶୋର ଜେନା,ପି.ଦଣ୍ଡ, ଇ. ନରସିଂହ, ଇ.ସିମାଦ୍ରି,ପି.ଅର୍ଜୁନ,ଭୀମ ଗୌଡ଼ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏନେଇ ରେଞ୍ଜରଙ୍କୁ ପଚାରିବାରୁ ଦାବୀପତ୍ର ପାଇବା ପରେ ଦିଗପହଣ୍ଡି ବନପାଳ ସନ୍ତୋଷ ବିଷୋୟୀ ରତ୍ନଙ୍କୁ କ୍ଷତିଗସ୍ତ ଜମିଗୁଡ଼ିକୁ ପରିଦର୍ଶନ କରି ସରକାରଙ୍କ ର୍ନିଦ୍ଧାରିତ ଗାଇଡ ଲାଇନ ଅନୁଯାୟୀ ଜିଓ ଟାଗ ଫଟୋ ଉତ୍ତୋଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି। କ୍ଷୟକ୍ଷତି ଅନୁଯାୟୀ ଚାଷୀଙ୍କୁ ବନବିଭାଗ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ପାଇଁ ସେ ସୁପାରିଶ କରିବେ ବୋଲି ଜଣାଇଛନ୍ତି।
Dharitri – Odisha’s No.1 Odia Daily