ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ କିପରି ଭୟ ଓ ଆଶଙ୍କା ମଧ୍ୟରେ ଅଟକି ରହିଥିଲେ ତାହା ବର୍ଣ୍ଣନା କରିଛନ୍ତି।
ସିନ୍ଧୁଙ୍କ ସହିତ ତାଙ୍କ ଇଣ୍ଡୋନେସୀୟ କୋଚ୍ ଇର୍ଓ୍ବାନସ୍ୟା ଆଦି ପ୍ରତିମା ମଧ୍ୟ ଥିଲେ। ସେମାନେ ବିମାନବନ୍ଦରରେ ଅବତରଣ କରିବାର ମାତ୍ର କିଛି ସମୟ ମଧ୍ୟରେ ବିମାନବନ୍ଦରଠାରୁ ପ୍ରାୟ୧୦୦ମିଟର ଦୂରରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା।
ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳ ଦୋହଲି ଉଠିଥିଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ବର୍ତ୍ତମାନ ସେମାନେ ଏକ ହୋଟେଲରେ ସୁରକ୍ଷିତ ଅଛନ୍ତି। ସିନ୍ଧୁ ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଖେଳିିବା ଲାଗି ଦୁବାଇରୁ ଲଣ୍ଡନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ସିନ୍ଧୁଙ୍କ ମ୍ୟାଚ ବୁଧବାର ରହିଛି। ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାରେ ସହଯୋଗ ପାଇଁ ସିନ୍ଧୁ ବିଶେଷ କରି ଦୁବାଇସ୍ଥିତ ଭାରତୀୟ ହାଇକମିଶନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି।
ଏୟାର ଇଣ୍ଡିଆ ପ୍ରମୁଖ ଉପସାଗରୀୟ ଗନ୍ତବ୍ୟ ସ୍ଥଳକୁ ଏହାର ସେବାକୁ ବାତିଲ କରିଥିବା ବେଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟକାଳ ପାଇଁ ଏହାର ଆକାଶପଥରେ କଟକଣା ଜାରି କରିଛି।
ଅନ୍ୟପକ୍ଷରେ ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ବ୍ୟାଡ୍ମିଣ୍ଟନ ଇଂଲଣ୍ଡ ଓ ଜାତୀୟ ଆସୋସିଏଶନଗୁଡ଼ିକ ସହ ସମନ୍ବୟ ରକ୍ଷାକରି ଯେଉଁ ଖେଳାଳିମାନଙ୍କୁ ଗସ୍ତ ବେଳେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି ତାହା ଉପରେ ନଜର ରଖିଛି।