ଅଦୃଶ୍ୟ ସୁନା ଦୌଡ଼ରେ ସବୁ ଦେଶ: କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କାହିଁକି କିଣୁଛନ୍ତି ରେକର୍ଡ଼ ପରିମାଣର ସୁନା ?

ନୂଆଦିଲ୍ଲୀ,୨୪ା୧୦: ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦଶନ୍ଧି ମଧ୍ୟରେ ସର୍ବାଧିକ ବେଗରେ ସୁନା ଗଚ୍ଛିତ କରିବାରେ ଲାଗିଛନ୍ତି। ଏହା କୌଣସି ସାମୟିକ ବଜାର ଭୟରୁ ନୁହେଁ, ବରଂ ଏକ ସୁଚିନ୍ତିତ ରଣନୀତି। ବର୍ତ୍ତମାନର ଭୌଗୋଳିକ-ରାଜନୈତିକ ପରିବର୍ତ୍ତନ, ଅସ୍ଥିର ବଣ୍ଡ୍ ରିଟର୍ଣ୍ଣ, ଏବଂ ଅସମାନ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ସୁନାକୁ ପୁଣିଥରେ ‘ମୂଲ୍ୟ ସଂରକ୍ଷଣର ଶେଷ ମାଧ୍ୟମ’ (ultimate store of value) ଭାବରେ ଗ୍ରହଣ କରାଯାଉଛି।

କାହିଁକି ଏହି ପରିବର୍ତ୍ତନ?

ଅର୍ଥନୀତିଜ୍ଞମାନେ ଏହାକୁ ‘ଗଠନଗତ ଅସ୍ଥିରତା’ (structural volatility) ବୋଲି କହୁଛନ୍ତି। ଉନ୍ନତ ଅର୍ଥନୀତିଗୁଡ଼ିକରେ ଅଭିବୃଦ୍ଧି ଧୀମା ଥିବାବେଳେ ମୁଦ୍ରାସ୍ଫୀତି ବଢୁଛି। ଏହି ପରିସ୍ଥିତିରେ ସରକାରୀ ବଣ୍ଡ୍ ପରି ପାରମ୍ପରିକ ନିରାପଦ ସମ୍ପତ୍ତିଗୁଡ଼ିକରୁ ରିଟର୍ଣ୍ଣ ଅବିଶ୍ୱାସନୀୟ ହୋଇପଡିଛି।

ସୁନା ବଣ୍ଡ୍ କିମ୍ବା ମୁଦ୍ରା ପରି ନୁହେଁ, ଏହା ଡିଫଲ୍ଟ ହୋଇପାରିବ ନାହିଁ, ମୁଦ୍ରାସ୍ଫୀତି ଦ୍ୱାରା ଏହାର ମୂଲ୍ୟ କମିବ ନାହିଁ କିମ୍ବା କୌଣସି ଦେଶର କଟକଣା (sanctions) ଦ୍ୱାରା ଫ୍ରିଜ୍ ହେବାର ବିପଦ ନାହିଁ। ଏହି କାରଣରୁ ଏହାକୁ ସଂରକ୍ଷଣ ପରିଚାଳନାର ଏକ ମୁଖ୍ୟ ଆଧାର ଭାବରେ ଦେଖାଯାଉଛି।

ଇନଫର୍ମେରିକ୍ସ ରେଟିଙ୍ଗ୍ସର ମୁଖ୍ୟ ଅର୍ଥନୀତିଜ୍ଞ ମନୋରଞ୍ଜନ ଶର୍ମାଙ୍କ ଅନୁଯାୟୀ, ଚାଇନା, ଭାରତ, ରୁଷିଆ ଏବଂ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ପରି ଉଭୟମାନ ଅର୍ଥନୀତିଗୁଡ଼ିକର ‘ଡି-ଡଲାରାଇଜେସନ୍’ (de-dollarisation) ଉଦ୍ୟମ ଦ୍ୱାରା ଏହି ସୁନା କ୍ରୟ ଅଧିକାଂଶ ପରିମାଣରେ ଚାଲିଛି। ସୁନା ରଖିବା କଟକଣାରୁ ସୁରକ୍ଷା ଦିଏ, ଆର୍ଥିକ ସ୍ଥିରତା ବଢାଏ ଏବଂ ଏକ ବହୁମେରୁ ବିଶିଷ୍ଟ ଆର୍ଥିକ ବ୍ୟବସ୍ଥାରେ ସ୍ୱାଧୀନ ମୁଦ୍ରା ନୀତି ପାଇଁ ସୁଗମତା ପ୍ରଦାନ କରେ।

ସୁନା ଦର ଉପରେ ପ୍ରଭାବ:

ୱାର୍ଲ୍ଡ ଗୋଲ୍ଡ କାଉନସିଲର ସର୍ବେକ୍ଷଣ ଅନୁଯାୟୀ, ୨୦୨୫ ସୁଦ୍ଧା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମିଳିତ ଭାବରେ ପ୍ରାୟ ୯୦୦ ଟନ୍ ସୁନା କିଣିବେ ବୋଲି ଆଶା କରାଯାଉଛି। ୭୬% କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସୁନାର ଅଧିକ ଅନୁପାତ ରଖିବାକୁ ଆଶା କରୁଥିବାବେଳେ, ୭୩% ଆମେରିକୀୟ ଡଲାରର ଅଂଶ ହ୍ରାସ ହେବ ବୋଲି ଆଶା କରୁଛନ୍ତି।

ଶର୍ମା କହିଛନ୍ତି ଯେ, ଏହି କ୍ରୟ ସୁନା ଦର ପାଇଁ ଏକ ‘ଗଠନଗତ ଫ୍ଲୋର୍’ (structural floor) ସୃଷ୍ଟି କରୁଛି, ଯାହା ସୁନାକୁ ଅଧିକ ସ୍ଥିର ଏବଂ କମ୍ ଚକ୍ରୀୟ (less cyclical) କରିବ। ଡଲାର ଉପରେ ବିଶ୍ୱର ଭରସା ହ୍ରାସ ପାଉଥିବାର ଏହା ସ୍ପଷ୍ଟ ସଙ୍କେତ। ୨୦୨୫ରେ ସୁନା ଦର ୬୫% ବୃଦ୍ଧି ପାଇଛି ଏବଂ ଆଗକୁ ଏହି ଧାରା ଜାରି ରହିବ ବୋଲି ବିଶ୍ଳେଷକମାନେ ଆକଳନ କରିଛନ୍ତି।

Share