ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ ପକ୍ଷୀ ସମ୍ପର୍କରେ ବନପାଳ ତ୍ରିନାଥ ଜେନାଙ୍କୁ ପଚାରିବାରୁ, ଏହି ପକ୍ଷୀ ସାଧାରଣତଃ ଭାରତର କିଛି ଅଞ୍ଚଳ, ପାକିସ୍ଥାନ, ଶ୍ରୀଲଙ୍କା, ମାଳଦୀପରେ ଦେଖିବାକୁ ମିଳିଥାନ୍ତି ବୋଲି ସେ କହିଛନ୍ତି।
ସାଧାରଣତଃ ଏମାନେ ଜଳାଶୟ ନିକଟସ୍ଥ ଏବଂ କମ୍ ଉତ୍ତାପ ଅନୁଭୂତ ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି। ତେବେ ଯୋଡ଼ାର ଏକ ଟେଲିଫୋନ ଟାୱାର ଉପରେ ଏହି ଆଇବିସ ପକ୍ଷୀମାନଙ୍କର କଳରବ ପ୍ରାୟତଃ କିଛି ଦିନ ହେବ ଶୁଣିବାକୁ ମିଳୁଛି। ଦୁଇରୁ ତିନି ଯୋଡ଼ା ପକ୍ଷୀ ଏହି ଟେଲିଫୋନ ଟାୱାର ଉପରେ ପ୍ରାତଃ କାଳରେ କଳରବ କରୁଛନ୍ତି। ପରେ କାନପୁର ଜଳାଶୟ ଆଡ଼କୁ ଉଡି ଯାଉଛନ୍ତି। ପୁଣି ସୂର୍ଯ୍ୟାସ୍ତ ସମୟରେ ଏହି ସୁଉଚ୍ଚ ଟାୱାରକୁ ଫେରି ଆସୁଥିବା ଦେଖିବାକୁ ମିଳୁଛି।
ପ୍ରାୟତଃ ଏମାନଙ୍କ ଥଣ୍ଟ କଳା ଓ ନାଲି ରଙ୍ଗର ହୋଇଥାଏ। କିନ୍ତୁ ଯୋଡ଼ାରେ ଥିବା ଏହି ପ୍ରଜାତି ପକ୍ଷୀଙ୍କ ଥଣ୍ଟ କଳା ରଙ୍ଗ ସହିତ ବଡ଼ ଥଣ୍ଟ ଥିବା ଦେଖିବାକୁ ମିଳିଛି। ଏହି ପକ୍ଷୀ ବହୁ ଦୂର ପଥ ଅତିକ୍ରମ କରି ଚିଲିକା ଏବଂ ଅନ୍ୟାନ୍ୟ ଜଳାଶୟଗୁଡ଼ିକୁ ଶୀତ ଦିନରେ ଆସିଥାନ୍ତି। ଯୋଡ଼ା ଅଞ୍ଚଳରେ ତାପମାତ୍ରା କମ୍ ଥିବାରୁ ଏଠାରେ ସେମାନେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ବନପାଳ ଜେନା କହିଛନ୍ତି ଯେ,ଏମାନେ ସାଧାରଣତଃ ଯୋଡ଼ି ହୋଇ ରହିବାକୁ ପସନ୍ଦ କରନ୍ତି। ଏହି ପକ୍ଷୀମାନଙ୍କର ସୁରକ୍ଷା ଦିଗରେ ବନ ବିଭାଗ ତତ୍ପରତା ଦେଖାଇଛି।