ନୂଆଦିଲ୍ଲୀ,୧୩।୫: ଭାରତୀୟ ସେନାର ଆକ୍ରମଣ ପରେ ପାକିସ୍ତାନର ବିଭିନ୍ନ ଏୟାରବେସରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ନୂଆ ସାଟେଲାଇଟ୍ ଫଟୋ ଜାରି ହୋଇଛି। ବେସରକାରୀ ସାଟେଲାଇଟ୍ କମ୍ପାନୀ ମାକ୍ସାର ଟେକ୍ନୋଲୋଜିସ୍ ଦ୍ୱାରା ପ୍ରକାଶିତ ଏହି ହାଇ-ଡେଫିନିସନ୍ (HD) ଚିତ୍ରଗୁଡ଼ିକ ପାକିସ୍ତାନର ସୁକ୍କୁର, ଭୋଲାରୀ, ଶାହବାଜ (ଜାକୋବାବାଦ) ଏବଂ ମୁଶାଫ (ସରଗୋଧା) ଏୟାରବେସରେ ହୋଇଥିବା ଧ୍ୱଂସକୁ ସ୍ପଷ୍ଟ ରୂପେ ଦେଖାଇଛି। ଏହି ଚିତ୍ରଗୁଡ଼ିକ ରଏଟର୍ସ ମାଧ୍ୟମରେ ପ୍ରକାଶ ପାଇଛି।
ମାକ୍ସାର ଦ୍ୱାରା ଜାରି ହାଇ-ରିଜୋଲ୍ୟୁସନ ଫଟୋ ଅନୁଯାୟୀ, ପାକିସ୍ତାନର ଏୟାରବେସଗୁଡ଼ିକରେ ଥିବା ରନୱେ, ହ୍ୟାଙ୍ଗାର ଏବଂ ଅନ୍ୟାନ୍ୟ ସାମରିକ କୋଠାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ପୂର୍ବରୁ ଏବଂ ପରେ ଉଠା ଯାଇଥିବା ଫଟୋଗୁଡ଼ିକ ଏହି ଏୟାରବେସଗୁଡ଼ିକରେ ବଡ଼ ଧରଣର ଧ୍ୱଂସ ହୋଇଥିବା ସ୍ପଷ୍ଟ କରୁଛି। ଉଦାହରଣ ସ୍ୱରୂପ, ସୁକ୍କୁର ଏୟାରବେସରେ ରନୱେ ଏବଂ ସାମରିକ ସରଞ୍ଜାମ ନଷ୍ଟ ହୋଇଥିବା ଦେଖାଯାଇଛି, ଯାହା ପାକିସ୍ତାନର ସାମରିକ ଶକ୍ତି ଉପରେ ଗଭୀର ପ୍ରଭାବ ପକାଇଛି।
ମାକ୍ସାର ସାଟେଲାଇଟ୍ ଫଟୋ ଏହା ସ୍ପଷ୍ଟ କରିଛି ଯେ ଭାରତର ଆକ୍ରମଣ ପାକିସ୍ତାନର ସାମରିକ ଶକ୍ତି ଉପରେ ଗଭୀର ଆଘାତ ଦେଇଛି। ଏହା ଭାରତର ସାମରିକ ଶକ୍ତି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।