ଦିଲ୍ଲୀର ପୋଲିସ ମୁଖ୍ୟଙ୍କୁ ରାତାରାତି ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ୧୯୯୨ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତୀଶ ଗୋଲ୍ଛାଙ୍କୁ ୨୧ ଅଗଷ୍ଟରେ ନିଯୁକ୍ତ କରାଯାଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରାଯିବା ପରଦିନ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ରାଜଧାନୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଧାରିବା ପାଇଁ ଶୀଘ୍ର ଜଣେ ଦକ୍ଷ ଅଧିକାରୀ ଭାବେ ଗୋଲ୍ଛାଙ୍କୁ ଅଣାଯାଇଛି। ଦିଲ୍ଲୀ ପୋଲିସ ବ୍ୟବସ୍ଥାରେ ସେ ୩ ଦଶନ୍ଧି ହେଲା କାର୍ଯ୍ୟ କରିଆସିଛନ୍ତି। ସେ ୨୦୨୦ ଦଙ୍ଗା ସମୟରେ ସ୍ବତନ୍ତ୍ର ପୋଲିସ କମିଶନର ଥିଲେ ଏବଂ ଗୋଇନ୍ଦା, କ୍ରାଇମ ବ୍ରାଞ୍ଚ ଓ କାରାଗାର ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ବ୍ୟତୀତ ସେ ଦିଲ୍ଲୀ ବାହାରେ ଅରୁଣାଚଳ ପ୍ରଦେଶ ଓ ତିହାରରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ, ଦିଲ୍ଲୀ ପୋଲିସର ଯେକୌଣସି ସଙ୍କଟରେ ତାଙ୍କ ଉପସ୍ଥିତି ରହୁଥିଲା। ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟାଳୟରେ ପ୍ରଥମ ଦିନରୁ ଚର୍ଚ୍ଚା ହୋଇଥିଲା। ଅନ୍ୟମାନଙ୍କୁ ଦାୟିତ୍ୱ ଦେଇ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହାସହ ସେ ମଧ୍ୟ ଅଧିକାରୀଙ୍କ ମତକୁ ଆଗ୍ରହର ସହ ଶୁଣିଥିଲେ। ବିଭିନ୍ନ ଅଧିକାରୀଙ୍କୁ ଏକାଠିକରି ଆଲୋଚନା କରିବା ଏକ ଉଚିତ ପଦକ୍ଷେପ ଏବଂ ସଙ୍କଟ ସମୟରେ ପୋଲିସ ପାଇଁ ଏହା ଦରକାର। ଗୋଲ୍ଛା ଏହି ପଦବୀରେ ୨୦୨୭ ପର୍ଯ୍ୟନ୍ତ ରହିବେ, ଯାହା ଦିଲ୍ଲୀର କ୍ଷମତା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହା ତାଙ୍କ ପାଇଁ ବାସ୍ତବରେ ଏକ ପରୀକ୍ଷାର ବେଳ।
ଥିଙ୍କ୍ଟ୍ୟାଙ୍କ୍ ନା ବାବୁ ଲଢ଼େଇ
ଭାରତର ତଥାକଥିତ ଦକ୍ଷିଣପନ୍ଥୀ ଗୃହଯୁଦ୍ଧର ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଏହା ତାହାର ବାସ୍ତବ ବିଚାରଧାରକୁ ଆଦୌ ଦୃଷ୍ଟି ଦିଏନାହିଁ। ଏହା ନିଜ ନିଜ ମଧ୍ୟରେ ଏକ ଲଢ଼େଇ ଭଳି ମନେହୁଏ, ଯେଉଁଥିରେ ଅବସରପ୍ରାପ୍ତ ଅଧିକାରୀ, କର୍ପୋରେଟ୍ ଅଂଶୀଦାର ଏବଂ ଥିଙ୍କ୍ଟ୍ୟାଙ୍କ୍ ଲଢ଼ୁଛନ୍ତି। ଏବକାର ଲଢ଼େଇର ଗୋଟିଏ ପଟେ ଅଛନ୍ତି ରିଲାଏନ୍ସ କମ୍ପାନୀରୁ ଅଧିକ ପୁଞ୍ଜି ଓ ସମ୍ବଳ ପାଇଥିବା ଅବର୍ଜରଭର ରିସର୍ଚ୍ଚ ଫାଉଣ୍ଡେଶନ( ଓଆର୍ଏଫ୍), ଯାହାର ଶୀର୍ଷ ନେତୃତ୍ୱରେ ରହିଛନ୍ତି ଜଣେ ଆଇଏଫ୍ଏସ୍ ଅଧିକାରୀ । ଲଢ଼େଇର ଅନ୍ୟ ପଟେ ଅଛି ଆଦାନୀ ସମର୍ଥିତ ଚିନ୍ତନ ଫାଉଣ୍ଡେଶନ, ଯାହାକୁ ସଞ୍ଚାଳନ କରୁଛନ୍ତି ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ଏହା ଏକ ବୌଦ୍ଧକ ଯୁଦ୍ଧ ନୁହେଁ , ବରଂ ଏକ ଅମଲାତାନ୍ତ୍ରିକ ଖେଳ ଭଳି ଜଣାପଡ଼ୁଛି। ଏ ସମ୍ପର୍କରେ ‘ଏକ୍ସ’ରେ ହେଉଥିବା ଆଲୋଚନା ତାମସାକୁ ଆହୁରି ବଢ଼ାଇଦେଇଛି। ଗୋଟିଏ ଦିନ ଏହା ରୁଷିଆର ଅଶୋଧିତ ତେଲ ଓ ରିଲାଏନ୍ସକୁ ନେଇ ହେଉଛି ତ ପରଦିନ ଜୟଶଙ୍କରଙ୍କ ସମର୍ଥକଙ୍କୁ ଏବଂ ତା’ପରଦିନ ଅନ୍ଲାଇନ ଗେମିଂ ଆପ୍ ଓ ଆଇପିଏଲ୍ ଅଧିକାର ନେଇ ଚର୍ଚ୍ଚା ଚାଲୁଛି। ଦେଖିବାକୁ ଗଲେ ଭାରତୀୟ ଶିଳ୍ପଗୁଡ଼ିକ ଅମଲାତାନ୍ତ୍ରିକ କ୍ଷେତ୍ର ପାଲଟିଯାଇଛି। ଭାରତର ଥିଙ୍କ୍ଟ୍ୟାଙ୍କ୍ ଦୃଶ୍ୟପଟରେ ଓଆର୍ଏଫ୍ର ପ୍ରାଧାନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆମନ୍ତ୍ରଣ କରିଛି ଏବଂ ଚିନ୍ତନ ଅବସରପ୍ରାପ୍ତ ଅଧିକାରୀ ମଣ୍ଡଳୀ ଓ କର୍ପୋରେଟ ସହଯୋଗରେ ଏକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଅବତୀର୍ଣ୍ଣ ଭୂମିକା ନିଭାଇବାକୁ ବାହାରି ପଡ଼ିଛି। ଏହା ଦକ୍ଷିଣପନ୍ଥୀ ଓ ବାମପନ୍ଥୀଙ୍କ କିମ୍ବା ମୋଦି ଗୋଷ୍ଠୀ ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ନୁହେଁ। ଏହା ପୁରୁଣା ଓ ନୂଆ ସଂସ୍ଥା ମଧ୍ୟରେ, ଆଇଏଫ୍ଏସ୍ ଓ ଆଇଏଏସ୍ ମଧ୍ୟରେ ଏପରିକି ଅମ୍ବାନୀ ଓ ଆଦାନୀ ମଧ୍ୟରେ ଏକ ଲଢ଼େଇ।
ଦୁର୍ନୀତିର ଧାରା
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭାରି ବ୍ୟସ୍ତ ରହୁଛି। ପ୍ରତିଦିନ ଚଢ଼ାଉ କରୁଛି। ଏବେ ଏହାର ନଜର ଗୁଆହାଟୀ ଉପରେ ପଡ଼ିଛି, ଯେଉଁଠି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଓ୍ବୋଲି ଦେବୀ ଶର୍ମା ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି। ୫୯ କେନ୍ଦ୍ରରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଥିଲା, କିନ୍ତୁ ପାଖାପାଖି ୩୫୦ କେନ୍ଦ୍ର କରାଯାଇଥିଲା ଏବଂ ତାଙ୍କ ବନ୍ଧୁ ଓ ପରିବାରକୁ ଏଥିପାଇଁ ଠିକା ଦିଆଯାଇ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା କାରବାର ହୋଇଥିଲା। ବାବୁ ପରିସରରେ ଦୁର୍ନୀତି ଅସାମାନ୍ୟ ନୁହେଁ, ବରଂ ବ୍ୟବସ୍ଥାର ଏକ ବିଶେଷତା। ଜଣେ ଅଧିକାରୀ ଏଭଳି ବିପୁଳ ଟଙ୍କା ଅନିୟନ୍ତ୍ରିତ ଭାବେ ହାସଲକରି ଅକଳ୍ପନୀୟ ମନେହେଲେ ବି ଏହା ପ୍ରାୟତଃ ନିୟମିତ ରୂପେ ଘଟିଚାଲିଛି। ପ୍ରକ୍ରିୟାର ନିରୀକ୍ଷଣ ବ୍ୟବସ୍ଥା ଦୁର୍ବଳ ରହୁଛି। ଟଙ୍କା ଲୁଟ୍ ହେବା ପରେ ହିଁ ସକ୍ରିୟତା ପ୍ରକାଶ ପାଉଛି କିମ୍ବା ଅଭିଯୁକ୍ତଙ୍କୁ ଧରାଯାଉଛି। ପ୍ରକୃତ ଦୁର୍ନୀତି କେବଳ ଜଣେ ବ୍ୟକ୍ତିଙ୍କ ଲୋଭ ଯୋଗୁ ହେଉନାହିଁ ବରଂ ବ୍ୟବସ୍ଥା ଏହା କରିବାକୁ ଅନୁମତି ଦେଉଛି। ଦୁର୍ନୀତିର ଏହି ଧାରା ଦେଶରେ ଶିକ୍ଷା ଯୋଜନା, କଲ୍ୟାଣକାରୀ କାର୍ଯ୍ୟକ୍ରମ କିମ୍ବା ଭିତ୍ତିଭୂମି ପ୍ରକଳ୍ପରେ ବାରମ୍ବାର ଘଟୁଛି। ସଂଖ୍ୟା ବଢ଼ାଯାଉଛି, ଟେଣ୍ଡର ହେଉନାହିଁ, ସମର୍ଥକ ଠିକାଦାରଙ୍କୁ କାମ ଦିଆଯାଉଛି । ସମୟକ୍ରମରେ ଏହା ଉପରେ କେହି ପ୍ରଶ୍ନ ଉଠାଇବାବେଳକୁ ଟଙ୍କା ଚାଲିଯାଉଛି। ଏଭଳି ପ୍ରତ୍ୟେକ ଘଟଣାରେ ସରକାର ଗର୍ବର ସହ କହୁଥିବା ‘ଦୃଢ଼ ଢାଞ୍ଚା’ରେ ଥିବା ବିଶ୍ୱାସର ଅବକ୍ଷୟ ହେଉଛି। ଚଢ଼ାଉ ଓ ଗିରଫ କରିବା ଖବରର ଶୀର୍ଷକ ପାଲଟୁଛି , କିନ୍ତୁ ଦୁର୍ନୀତିର ଧାରାରେ କିଛି ବି ପରିବର୍ତ୍ତନ ହେଉନାହିଁ।
Email: dilipcherian@gmail.com