ସବୁକିଛି ଠପ୍‌: ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ-କମ୍ୟୁନିଷ୍ଟ କର୍ମୀ

ଦିଗପହଣ୍ଡି,୧୭।୭(ଅଶେଷ ନାଥ ମିଶ୍ର): ଶ୍‌ବାଲେଶ୍ୱର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ତଥା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ଦିଗପହଣ୍ଡିଠାରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।

ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ଗଞ୍ଜାମ ଜିଲା କଂଗ୍ରେସ ନେତା ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,ନଗର କଂଗ୍ରେସ କମିଟି ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର, ସୁନୀଲ କୁମାର ପଣ୍ଡା,ଡମ୍ବରୁ ଧର ବେହେରା,ବାଲ୍ମୀକି ବେହେରା, ଗୋବିନ୍ଦ ପାଣିଗ୍ରାହୀ, ଶଙ୍କର ରାଓ, ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର,ସିପିଆଇ ଶାଖା ସମ୍ପାଦକ ତପନ କୁମାର ମିଶ୍ର,ଆଇନଜୀବି ହରପ୍ରସାଦ ରଥ,ଆର.ଦୀନବନ୍ଧୁ ଦୈତାରୀ ରେଡ୍ଡୀ, ପୁରୁଷୋତ୍ତମ ବେହେରା, ହରିକୃଷ୍ଣ ଗୌଡ଼,ସିପିଆଇ(ଏମ) ପକ୍ଷରୁ କୈଳାସ ମହାରଣା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ବ୍ରହ୍ମପୁର-ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥକୁ ଅବରୋଧ କରିବାରୁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ଥିଲା। ଏହି ଆନ୍ଦୋଳନ ଡ଼ାକରା ଯୋଗୁ ଦିଗପହଣ୍ଡି ସହର ସମେତ ପ୍ରମୁଖ ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ସରକାରୀ ବେସରକାରୀ ଅଫିସ, ଦୋକାନ ବଜାର,ସ୍କୁଲ କଲେଜ ବନ୍ଦ ରହିଥିଲା।