ନୂଆଦିଲ୍ଲୀ,୯।୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମର ଭାରତର ଅର୍ଥନୀତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ “ମୃତ” ମନ୍ତବ୍ୟକୁ ଖଣ୍ଡନ କରି କହିଛନ୍ତି ଯେ ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ପଥରେ ଅଗ୍ରସରହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଷ୍ଟାର୍ମର କହିଛନ୍ତି ଯେ ଭାରତ ଜାପାନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇସାରିଛି।
ଷ୍ଟାର୍ମର ହିନ୍ଦୀରେ “ନମସ୍କାର ବନ୍ଧୁଗଣ” କହି ସମ୍ବୋଧନ ଆରମ୍ଭ କରି ଭାରତର ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ହେବାର ଲକ୍ଷ୍ୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ମୁଁ ଏଠାରେ ଯାହା ଦେଖିଛି, ତାହା ପ୍ରମାଣ କରୁଛି ଯେ ଭାରତ ଏହି ଲକ୍ଷ୍ୟରେ ସଫଳ ହେବ। ଆମେ ଏହି ଯାତ୍ରାରେ ଭାରତର ଅଂଶୀଦାର ହେବାକୁ ଚାହୁଁ।”
ଟ୍ରମ୍ପ ଗତ ଜୁଲାଇରେ ଭାରତର ରୁଷିଆ ତୈଳ କ୍ରୟକୁ ନେଇ ଭାରତୀୟ ଅର୍ଥନୀତିକୁ “ମୃତ” ବୋଲି ଆଖ୍ୟା ଦେଇଥିଲେ। କିନ୍ତୁ ଏପ୍ରିଲ-ଜୁନ ତ୍ରୈମାସିକରେ ଭାରତର ୭.୮% ଅର୍ଥନୈତିକ ବୃଦ୍ଧି ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି।
ଷ୍ଟାର୍ମର ଭାରତର ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ରୁଷିଆ, ଜର୍ମାନୀ, ଫ୍ରାନ୍ସ ଓ ଆଫ୍ରିକୀୟ ସଂଘ ମଧ୍ୟ ସମର୍ଥନ କରିଛନ୍ତି। ଏହା ସହ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।