Video: ଟ୍ରମ୍ପଙ୍କ କାର୍‌କେଡ୍‌ ଯିବା ପାଇଁ ସବୁ ରାସ୍ତା ବନ୍ଦ, ଚାଲି ଚାଲି ଫେରିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୯: ଜାତିସଂଘ ସାଧାରଣ ପରିଷଦରେ ଲମ୍ବା ଭାଷଣ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦୂତାବାସ ଫେରୁଥିବା ବେଳେ ନ୍ୟୁୟର୍କ ପୋଲିସ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍‌କେଡ ପାଇଁ ଅଟକାଇଥିଲା। ରାସ୍ତା ଅବରୋଧ ହେତୁ ମାକ୍ରନ ଗାଡ଼ିରୁ ଓହ୍ଲାଇ ପୋଲିସଙ୍କୁ ଏହାର କାରଣ ପଚାରିଥିଲେ। ଏକ ଭିଡିଓରେ ଜଣେ ଅଧିକାରୀ ତାଙ୍କୁ କହୁଛନ୍ତି, “ସମସ୍ତ ରାସ୍ତା ବନ୍ଦ ଅଛି।”

ଏହାପରେ ମାକ୍ରନ ରାସ୍ତାରେ ଛିଡ଼ା ହୋଇ ଟ୍ରମ୍ପଙ୍କୁ ଫୋନ କରି ହାସ୍ୟରସରେ କହିଥିଲେ, “ମୁଁ ରାସ୍ତାରେ ଅପେକ୍ଷା କରୁଛି, କାରଣ ସବୁ ତୁମ ପାଇଁ ବନ୍ଦ!” ଟ୍ରମ୍ପଙ୍କ କାର୍‌କେଡ ଗଲା ପରେ ରାସ୍ତା କେବଳ ପଦାଚାରୀଙ୍କ ପାଇଁ ଖୋଲା ହୋଇଥିଲା। ଏତେ ସମୟ ଅପେକ୍ଷାକରିବା ପରେ ମାକ୍ରନ ଗାଡ଼ିରେ ନ ଫେରି ପାଦରେ ଯାତ୍ରା ଜାରି ରଖିଥିଲେ ଓ ନ୍ୟୁୟର୍କବାସୀଙ୍କ ସହ ସେଲଫି ଉଠାଇଥିଲେ। ଏହାପୂର୍ବରୁ ମାକ୍ରନ ଜାତିସଂଘରେ ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ଦେବା ଓ ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷରେ ଦୁଇ-ରାଷ୍ଟ୍ର ସମାଧାନ ପାଇଁ ଆହ୍ଵାନ ଦେଇଥିଲେ।

Share