ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ ନିରାକରଣ ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରୟୋଗଶାଳା ପ୍ରଦର୍ଶକ ଅଶ୍ୱିନୀ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାଠଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟ ସମେତ ସମସ୍ତ ପ୍ରାଣୀ ସମ୍ପଦର ସ୍ବାସ୍ଥ୍ୟ ସୁରକ୍ଷା ଏବେ ଚ୍ୟାଲେଞ୍ଜ ହୋଇପଡ଼ିଛି। ସ୍ବାସ୍ଥ୍ୟ ସମସ୍ୟା ପ୍ରତି ସମସ୍ତେ ସଚେତନ ରହିବା ନିତାନ୍ତ ଆବଶ୍ୟକ। ଛାତ୍ରୀଛାତ୍ର ଓ ଅଧ୍ୟାପିକା ଅଧ୍ୟାପକ ସ୍ବାସ୍ଥ୍ୟ ସଚେତନତା କ୍ଷେତ୍ରରେ ସକ୍ରିୟ ରହି ଆବଶ୍ୟକ କାର୍ଯ୍ୟ କରିବା ଉଚିତ୍। ଉନ୍ନତ ଜୀବନ ଶୈଳୀ, ସମୟୋପଯୁକ୍ତ ଚିକିତ୍ସା ଦ୍ବାରା ପ୍ରତ୍ୟେକ ବ୍ୟକ୍ତି ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଦ୍ୱାରା ଆସନ୍ନ ବିପଦଗୁଡିକୁ ମୁକାବିଲା କରି ପାରିବା। ଆତ୍ମିକ ସ୍ବାସ୍ଥ୍ୟର ଗୁରୁତ୍ୱ ଉପରେ ଜୋର୍ ଦେଇ ସମସ୍ତ ବ୍ୟକ୍ତି ମନୋଶାନ୍ତି ଓ ସକାରାତ୍ମକ ଚିନ୍ତାଧାରା ପ୍ରତି ଗୁରୁତ୍ୱାରୋପ କରିବାକୁ ସେ ଉପସ୍ଥିତ ଛାତ୍ରୀଛାତ୍ର ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଂରାଜୀ ବିଭାଗ ଅଧ୍ୟାପକ ତ୍ରିଲୋଚନ ଦାସ ମଞ୍ଚାସୀନ ଥିଲେ। ସାମ୍ପ୍ରତିକ ସମୟରେ ସ୍ବାସ୍ଥ୍ୟ ଜନିତ ବିପଦ କାରଣରୁ ସେଗୁଡିକର ନିରାକରଣ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ପାଠଚକ୍ର ମୂଳ ଉଦ୍ଦେଶ୍ୟ ବୋଲି ପାଠଚକ୍ରରେ ମତପ୍ରକାଶ ପାଇଥିଲା। ଯୁକ୍ତ ୩ ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ରୀ ଏମ୍. ସୋନାଲି ପାତ୍ର, ରଶ୍ମିତା ସ୍ବାଇଁ, ଦ୍ୱିତୀୟ ବର୍ଷ ଛାତ୍ରୀ ବର୍ଷା ପଟ୍ଟନାୟକ, ପୂଜା ନାହାକ, ଛାତ୍ର ଏ. ବସନ୍ତ ରେଡ୍ଡୀ ଏବଂ ପ୍ରଥମ ବର୍ଷ ଛାତ୍ରୀ ବିଦୁସ୍ମିତା ରଥ ସ୍ବରଚିତ ସନ୍ଦର୍ଭ ଓ ପତ୍ରିକା ପଠନ କରିଥିଲେ। ଅଧ୍ୟାପିକା ବୁଜ୍ଜି ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। ଯୁକ୍ତ ୩ ପ୍ରାଣୀ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରୀଛାତ୍ରଙ୍କ ସମେତ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।