ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବାର୍ତା ଦେଇ କହିଛନ୍ତି, “ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି।” ‘ଅପରେଶନ ସିନ୍ଦୂର’ର ସଫଳତା ପରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ଶକ୍ତିଶାଳୀ ବୟାନ ଦେଇଛନ୍ତି, ଯାହା ଜମ୍ମୁ ଓ କାଶ୍ମୀରର ପହଲଗାମ ଆକ୍ରମଣରେ ସ୍ୱାମୀଙ୍କୁ ହରାଇଥିବା ମହିଳାମାନଙ୍କ ଦୁଃଖ ଓ ଆକ୍ରୋଶକୁ ପ୍ରତିଫଳିତ କରୁଛି।

ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ନିହତ ହୋଇଥିଲେ। ଏହାର ଜବାବରେ ଭାରତୀୟ ସେନା ମେ ୭ରେ ‘ଅପରେଶନ ସିନ୍ଦୂର’ ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ଅପରେଶନର ନାମ ‘ସିନ୍ଦୂର’ ରଖିଥିଲେ, ଯାହା ହିନ୍ଦୁ ସଂସ୍କୃତିରେ ମହିଳାଙ୍କ ସୌଭାଗ୍ୟର ପ୍ରତୀକ ଏବଂ ପହଲଗାମରେ ସ୍ୱାମୀଙ୍କୁ ହରାଇଥିବା ମହିଳାମାନଙ୍କ ସମ୍ମାନର ପ୍ରତିଫଳନ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଏହା କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଭାରତ ମାତାର ଗରିମା ଓ ଆମ ମହିଳାମାନଙ୍କ ସମ୍ମାନ ରକ୍ଷାର ପ୍ରତିଜ୍ଞା। ଯେଉଁମାନେ ଆମ ମହିଳାଙ୍କ ସିନ୍ଦୁର ପୋଛିବାକୁ ଚେଷ୍ଟା କରିଛନ୍ତି, ସେମାନେ ଏବେ ଭାରତର ଶକ୍ତି ଓ ନିଷ୍ପତ୍ତିର ପରିଣାମ ଦେଖିଛନ୍ତି।” ସେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ମିଳିତ ସମନ୍ୱୟକୁ ପ୍ରଶଂସା କରିବା ସହ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ନେତୃତ୍ୱକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।

Share