ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଦିଲୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଉତ୍ସବ ଆନନ୍ଦ ଓ ଖୁସି ଦେବା ସହିତ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ସେ ଆହୁରି କହିଥିଲେ,ସେ ଆଜି ଯେଉଁ ପରିଚୟ ପାଇଛନ୍ତି ତାହା ଲୋଇସିଂହା ମାଟି ପାଇଁ ସମ୍ଭବ ହୋଇ ପାରିଛି। ଲୋଇସିଂହାକୁ ମୁଁ ଭୁଲି ପାରିବିନାହିଁ। ଶୋଇଥିଲେ ବି ଲୋଇସିଂହାର ବିକାଶ ଚିନ୍ତା କରିଥାଏ ବୋଲି କହିଥିଲେ। ବର୍ତ୍ତମାନ ୮୬ ବର୍ଷରେ ପଦାର୍ପଣ କଲିଣି। ବାର୍ଦ୍ଧକ୍ୟ ଓ ସ୍ବାସ୍ଥ୍ୟଗତ ସମମ୍ୟା ଯୋଗୁ ଆଗାମୀ ଦିନରେ ଅଭିନନ୍ଦନ ଉତ୍ସବରେ ବୋଧହୁଏ ଆଉ ଉପସ୍ଥିତ ରହିବା ତାଙ୍କ ପକ୍ଷେ ଆଉ ସମ୍ଭବ ହେବ ନାହିଁ। ଲୋଇସିଂହା ଅଭିନନ୍ଦନ ଉତ୍ସବକୁ ବଞ୍ଚାଇ ରଖିବାକୁ ଆୟୋଜକଙ୍କୁ ନିବେଦନ କରିଥିଲେ। ଯାହାକି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଭରି ଦେଇଥିଲା। ଏହି ଉପଲକ୍ଷେ ଆୟୋଜିତ ଝୋଟି, ମ୍ୟୁଜିକ ଚେୟାର, ଜିଲାପିଖିଆ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟଙ୍କଧର ଗଡତ୍ୟା, କ୍ଲବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।