‘ଛୋଲେ ଭଟ୍ଟୁରେ’ ଦେଖିଲେ ପାଟିରୁ ଲାଳ ବାହାରେ

ନୂଆଦିଲ୍ଲୀ,୩୦।୪: ପୂର୍ବ ଅଧିନାୟକ ବିରାଟ କୋହଲି କ୍ରିକେଟ ସହ ଫିଟ୍‌ନେସ୍‌କୁ ନେଇ ପ୍ରଶଂସକଙ୍କ ପାଇଁ ପ୍ରେରଣା। ଭାରତର ଯୁବ କ୍ରିକେଟରମାନେ କୋହଲିଙ୍କୁ ଦେଖି ତାଙ୍କ ଭଳି ଫିଟ୍‌ନେସ୍‌ ହାସଲ କରିବାକୁ କଠିନ ପରିଶ୍ରମ କରନ୍ତି। ହେଲେ କୋହଲିଙ୍କୁ ଫିଟ୍‌ ରହିବା ଲାଗି ମନ ମୁତାବକ ଖାଦ୍ୟକୁ ପରିତ୍ୟାଗ କରିବାକୁ ପଡ଼ିଛି।

ଏକ ସାକ୍ଷାତକାରରେ ନିଜର ପ୍ରିୟ ଖାଦ୍ୟ ବିଷୟରେ କହିଥିଲେ କୋହଲି। ଦିନକ ପାଇଁ ଯାହା ଖାଇବାକୁ ଚାହିଁବେ ତାହା ଖାଇପାରିବେ ବୋଲି ଯଦି କୁହାଯାଏ ତେବେ କ’ଣ ଖାଇବେ ବୋଲି ତାଙ୍କୁ ପଚରାଯାଇଥିଲା। ଏହାର ଜବାବ ଦେଇ ବିରାଟ ବିନା ଦ୍ୱିଧାରେ ‘ଛୋଲେ ଭଟ୍ଟୁରେ’ ବୋଲି କହିଥିଲେ।

କୋହଲିଙ୍କୁ ରାଜୌରୀ ଗାର୍ଡେନରେ ଥିବା ରାମଙ୍କ ‘ଛୋଲେ ଭଟ୍ଟୁରେ’ବହୁତ ପସନ୍ଦ। ଛୋଟ ବେଳେ ସେ ପ୍ରାୟ ସବୁବେଳେ ପିଆଜ ଏବଂ ପୁଦିନା ଚଟଣୀ ସହ ମିଶାଇ ଏହାକୁ ଖାଇବାକୁ ଯାଉଥିଲେ। ହେଲେ ଏବେ ଫିଟ୍‌ ରହିବାକୁ ସେ ଦୁଇ କପ୍‌ କଫି ବ୍ୟତିତ ଡାଲି, ସବୁଜ ପନିପରିବା, ଅଣ୍ଡା, ଦୋସା, ବାଦାମ ଏବଂ ପ୍ରୋଟିନ ଆଦି ଖାଇଥାନ୍ତି।