ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ ଏବେ ଖୋଲାଖୋଲି ଭାବେ ଇରାନକୁ ସମର୍ଥନ ଜଣାଇଛି। ତୁର୍କୀ ରାଷ୍ଟ୍ରପତି ରେସେପ ତାଇପ୍ ଏର୍ଡୋଗାନ୍ ବିଶ୍ୱର ସମସ୍ତ ମୁସଲମାନ ରାଷ୍ଟ୍ରଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେବା ସହ ଯୁଦ୍ଧ ନ ଥମିଲେ ସାରା ବିଶ୍ୱ ଜଳିବ ବୋଲି ଚେତାବନୀ ଦେଇଛନ୍ତି।
ଅଙ୍କାରାରେ ଶାସକ ଦଳର ସାଂସଦମାନଙ୍କୁ ସମ୍ବୋଧିତ କରି ଏର୍ଡୋଗାନ କହିଛନ୍ତି, “ମୁଁ ସୁନ୍ନି ନୁହେଁ କି ଶିଆ ନୁହେଁ, ଆମେ ସମସ୍ତେ ମୁସଲମାନ। ଏହା ପରସ୍ପରକୁ ସମର୍ଥନ କରିବାର ସମୟ। ଯଦି ଏହି ଯୁଦ୍ଧକୁ ଏବେ ରୋକା ନ ଯାଏ, ତେବେ ସାରା ବିଶ୍ୱ ଏଥିରେ ପ୍ରଭାବିତ ହେବ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଙ୍କଟ ସମୟରେ ମୁହଁ ବୁଲାଇ ନେବା ତାଙ୍କର ସ୍ବଭାବ ନୁହେଁ ଏବଂ ସେ ଯୁଦ୍ଧ ରୋକିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବେ।
ଏର୍ଡୋଗାନଙ୍କ କହିବା ଅନୁଯାୟୀ, ଏହି ଯୁଦ୍ଧ ଇସ୍ରାଏଲ ଦ୍ୱାରା ଆରମ୍ଭ କରାଯାଇଛି ଏବଂ କେବଳ ସେମାନେ ହିଁ ଏହାକୁ ରୋକି ପାରିବେ। ଯଦି ଆମେରିକା କୂଟନୈତିକ ସ୍ତରରେ ପ୍ରୟାସ କରେ, ତେବେ ଶାନ୍ତି ଫେରିପାରିବ। ଏହି ପ୍ରକ୍ରିୟାରେ ତୁର୍କୀ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟ କହିଛନ୍ତି ଯେ, ତୁର୍କୀ ମଧ୍ୟ ଇରାନର ପଥ ଅନୁସରଣ କରୁଛି ଏବଂ ସେଠାରେ ହମାସ ଓ କତାର ଭଳି ଗୋଷ୍ଠୀଙ୍କୁ ନେଇ ଏକ ନୂଆ ସଂଗଠନ ତିଆରି ହେଉଛି।
ତୁର୍କୀର ମୁଖ୍ୟ ବିରୋଧୀ ଦଳ ’ରିପବ୍ଲିକାନ ପିପୁଲ୍ସ ପାର୍ଟି’ (CHP) ର ଅଧ୍ୟକ୍ଷ ଓଜଗୁର ଓଜେଲ କହିଛନ୍ତି ଯେ, ଏର୍ଡୋଗାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନେଇ ସମାଲୋଚନା କରିବାକୁ ଏଡାଇ ଯାଉଛନ୍ତି। ଏହା ପଛର କାରଣ ହେଉଛି ଟ୍ରମ୍ପଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁସମ୍ପର୍କ। ଯଦିଓ ଏର୍ଡୋଗାନ ଆମେରିକା-ଇସ୍ରାଏଲର ଏୟାର ଷ୍ଟ୍ରାଇକକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି, କିନ୍ତୁ କୂଟନୈତିକ ସ୍ତରରେ ସେ ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ କରୁନାହାନ୍ତି।
ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସାଂସଦମାନଙ୍କୁ ଗୁପ୍ତ ସୂଚନା ପ୍ରଦାନ କରିଛନ୍ତି। ଏହି ସଙ୍କଟରୁ ବିଶ୍ୱକୁ କିଭଳି ରକ୍ଷା କରାଯାଇପାରିବ, ସେ ନେଇ ତୁର୍କୀ ସରକାର ଏକ ରୋଡମ୍ୟାପ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।