ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ ଗୃହକୁ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ତହସିଲଦାର ସୁଦେବ କୁମାର ପୃଷ୍ଟି, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ସୁପର୍‌ଭାଇଜର ଅରବିନ୍ଦ ସାହୁ, କପ୍ତିପଦା ଜେନା, ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କ ସମେତ ପରଜଙ୍ଗ ଥାନା ଏଏସ୍‌ଆଇ ଅଜୟ ସାମଲ, ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ପରଜଙ୍ଗରେ ଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ପାଇଁ ନୂତନ କୋଠା ନିର୍ମାଣ ନିମନ୍ତେ ପରଜଙ୍ଗରେ ସରକାରୀ ଜାଗା ନ ମିଳିବାରୁ କୋର୍ଟଟି ବାରିହାପୁରରେ ହେବାକୁ ସ୍ଥିର ହୋଇଥିଲା । ତେଣୁ ଉକ୍ତ ସରକାରୀ ଜାଗାରୁ ଜବରଦଖଲ ହଟାଇବାକୁ ତହସିଲ ପ୍ରଶାସନ ନୋଟିସ ଦେଇଥିଲା। ହେଲେ ଢାବା ମାଲିକ କାମାକ୍ଷାନଗର ଉପଜିଲାପାଳଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଉପଜିଲାପାଳ ଏହାର ଶୁଣାଣି କରି ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ପରଜଙ୍ଗ ମୁଖ୍ୟାଳୟର ବିଭିନ୍ନ ସ୍ଥାନ, ପରଜଙ୍ଗ ବଜାରର ବହୁ ସ୍ଥାନ ଜବରଦଖଲରେ ଥିବା ବେଳେ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ତହସିଲଦାର ପୃଷ୍ଟି କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ, ଆଗକୁ ଉଚ୍ଛେଦ ହେବ।

 

Dharitri – Odisha’s No.1 Odia Daily