ନ୍ୟୁୟର୍କ,୯ା୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍ଷ୍ଟିନ୍ ଜେନେଟିକ୍ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର ଏକ ଶ୍ରେଷ୍ଠ ପ୍ରଜାତି ବିକଶିତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ କେତେଜଣ ବୈଜ୍ଞାନିକ ଏବଂ ବ୍ୟବସାୟୀଙ୍କ ସହ ଅନେକ ବର୍ଷ ଧରି ଆଲୋଚନା ଚଳାଇଥିଲେ ବୋଲି ଏକ ତଦନ୍ତରୁ ଜଣାପଡ଼ିଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି। ତାଙ୍କର ଏହି ଆଗ୍ରହକୁ ଟ୍ରାନ୍ସହ୍ୟୁମାନିଜମ୍ କୁହାଯାଇଛି। ୨୦୦୦ ଦଶନ୍ଧି ପ୍ରଥମ ଭାଗରେ ଏପ୍ଷ୍ଟିନ୍ ନିଜ ସନ୍ତାନ ପାଇଁ ଯୋଜନା କରିଥିଲେ ବୋଲି ୩ଟି ସୂତ୍ରରୁ ଜଣାପଡ଼ିଛି। ସେ ନିଜ ଡିଏନ୍ଏ ବ୍ୟବହାର କରି ଏକସଙ୍ଗେ ୨୦ ମହିଳାଙ୍କୁ ଗର୍ଭବତୀ କରିବାକୁ ଲକ୍ଷ୍ୟ ରଖିଥିଲେ। ସେ ଅନେକ ଶ୍ରେଷ୍ଠ ବୈଜ୍ଞାନିକଙ୍କ ପାଇଁ ମଧ୍ୟାହ୍ନ ଓ ରାତ୍ରଭୋଜନ ଆୟୋଜନ କରିବା ସହ ସମ୍ମିଳନୀ କରାଇଥିଲେ।
ଏପ୍ଷ୍ଟିନ୍ଙ୍କ ଇଜେନିକ୍ସ ସମ୍ବନ୍ଧୀୟ ଚିନ୍ତାଧାରାକୁ ତାଙ୍କ ଓକିଲ ଆଲନ ଡେର୍ଶୋଓ୍ବିଜ୍ ଚମତ୍କାର ବୋଲି କହିଥିଲେ। ତେବେ ବୈଜ୍ଞାନିକମାନେ ତାଙ୍କ ଚିନ୍ତାଧାରା ପ୍ରତି ଅଧିକ ଆଗ୍ରହୀ ନା ତାଙ୍କ ପାଣ୍ଠି ପ୍ରତି ବୋଲି ଅନେକେ କଥା ହେଉଥିଲେ। ଷ୍ଟିଭେନ୍ ପିଙ୍କର ଏପ୍ଷ୍ଟିନ୍ଙ୍କୁ ଜଣେ ବୁଦ୍ଧିଜୀବୀ ଠକେଇବାଜ କହିଥିଲାବେଳେ ଏପ୍ଷ୍ଟିନ୍ଙ୍କ ଧାରଣାକୁ ପରୀକ୍ଷାଯୋଗ୍ୟ ବିଜ୍ଞାନ ଭାବେ ଗଣାଯାଏ ନାହିଁ ବୋଲି ଜାରୋନ୍ ଲାନିଏର ମତ ଦେଇଥିଲେ।