ନୂଆଦିଲ୍ଲୀ,୬।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ ଅପଡେଟ୍ କରିବା ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ସହିତ EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନକରି ବ୍ୟକ୍ତିଗତ ବିବରଣୀ ସହିତ ସେମାନଙ୍କର ଆଧାର ଲିଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN)କୁ ଅପଡେଟ କରିପାରିବେ।
ଯଦି UAN ଆଧାର ମାଧ୍ୟମରେ ବୈଧ ହୁଏ, ତେବେ EPF ସଦସ୍ୟ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନ କରି ନାମ, ଜନ୍ମ ତାରିଖ, ଲିଙ୍ଗ, ଜାତୀୟତା, ପିତା କିମ୍ବା ମାତାଙ୍କ ନାମ, ବୈବାହିକ ସ୍ଥିତି, ପତି କିମ୍ବା ପତ୍ନୀଙ୍କ ନାମ, ଯୋଗଦାନ ତାରିଖ ଏବଂ ଛାଡିବା ତାରିଖ ପରି ବ୍ୟକ୍ତିଗତ ବିବରଣୀ ସହିତ ତାଙ୍କର ପ୍ରୋଫାଇଲକୁ ଅପଡେଟ୍ କରିପାରିବେ। ପୂର୍ବରୁ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରୋଫାଇଲ ଅପଡେଟ କରିବା ପାଇଁ ନିଯୁକ୍ତିଦାତାଙ୍କ ଠାରୁ ଅନୁମୋଦନ ନେବାକୁ ପଡୁଥିଲା, ଯାହା ଫଳରେ ହାରାହାରି ପ୍ରାୟ ୨୮ ଦିନ ବିଳମ୍ବ ହେଉଥିଲା।
EPFOର ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ପ୍ରାପ୍ତ ମୋଟ ୮ ଲକ୍ଷ ସଂଶୋଧନ ଅନୁରୋଧ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତକୁ ଏବେ ସଦସ୍ୟମାନେ ନିଜେ ଅନୁମୋଦନ କରିପାରିବେ, ସେ ବି ନିଯୁକ୍ତିଦାତା କିମ୍ବା EPFOର ଅନୁମୋଦନ ବିନା। କିନ୍ତୁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଯଦି UAN ୧ ଅକ୍ଟୋବର ୨୦୧୭ ପୂର୍ବରୁ ଜାରି କରାଯାଇଛି, ତେବେ ପ୍ରୋଫାଇଲରେ ଯେକୌଣସି ଅପଡେଟ୍ ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେବ।
ସେହିଭଳି ଯେକୌଣସି ଅପଡେଟ କିମ୍ବା ଉଠାଣ ପାଇଁ ସଦସ୍ୟମାନଙ୍କୁ ସେମାନଙ୍କର ଆଧାର ଏବଂ ପ୍ୟାନ୍କୁ ସେମାନଙ୍କର EPF ଆକାଉଣ୍ଟ ସହିତ ଲିଙ୍କ କରିବାକୁ ପଡିବ। ଯଦି EPF ବିବରଣୀ ଏବଂ ଆଧାର ମଧ୍ୟରେ କୌଣସି ସମସ୍ୟା ଥାଏ, ତେବେ ଅନୁମୋଦନରେ ବିଳମ୍ବ ହୋଇପାରେ। ଏପରି ପରିସ୍ଥିତିରେ ନିଯୁକ୍ତିଦାତା ଏବଂ EPFOର ଅନୁମୋଦନ ଉପରେ ନିର୍ଭର କରି କିଛି ସପ୍ତାହ ଲାଗିପାରେ।
EPF ପ୍ରୋଫାଇଲ କିପରି ଅପଡେଟ କରିବେ?
-ସର୍ବପ୍ରଥମେ, EPFର ଅଫିସିଆଲ ୱେବସାଇଟ www.epfindia.gov.in ପୋର୍ଟାଲ କୁ ଯାଆନ୍ତୁ।
-ତା’ପରେ UAN ନମ୍ବର, ପାସୱାର୍ଡ ଏବଂ କ୍ୟାପଚା ଭଳି ବିବରଣୀ ପୂରଣ କରି ସଦସ୍ୟ ପୋର୍ଟାଲରେ ଲଗ ଇନ କରନ୍ତୁ।
-ଏହା ପରେ, ମେନୁରେ ଉପରେ ଦିଆଯାଇଥିବା ’ପରିଚାଳନା’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
-’ମୌଳିକ ବିବରଣୀ ପରିବର୍ତ୍ତନ କରନ୍ତୁ’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
-ଏହା ପରେ ଆପଣଙ୍କ ଆଧାର କାର୍ଡ ଅନୁସାରେ ବ୍ୟକ୍ତିଗତ ବିବରଣୀ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ।
-‘track request’ ବିକଳ୍ପ ବ୍ୟବହାର କରି ପ୍ରୋଫାଇଲ ଅପଡେସନ୍ ପ୍ରକ୍ରିୟାକୁ ଟ୍ରାକ୍ କରନ୍ତୁ।