ବାପା ହେଲେ ସିଦ୍ଧାର୍ଥ, ପତ୍ନୀ କିଆରା ଦେଲେ…

ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଉଭୟ ପିତାମାତା ହେବାକୁ ଯାଉଥିବା ପ୍ରଶଂସକଙ୍କୁ ଜଣାଇଥିଲେ।
ଫେବୃଆରୀ ୨୮ରେ ଗର୍ଭଧାରଣ ନେଇ ଘୋଷଣା କରି, କିଆରା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଉଭୟେ ହାତରେ ଶିଶୁ ମୋଜା ଧରିଥିଲେ। ଫଟୋ ଶେୟାର କରି ସେ କ୍ୟାପ୍‌ଶନରେ ଲେଖିଥିଲେ, “ଆମ ଜୀବନର ସବୁଠାରୁ ବଡ ଉପହାର। ଶୀଘ୍ର ଆସୁଛି।“
ସିଦ୍ଧାର୍ଥ ଏବଂ କିୟାରା ୭ ଫେବୃଆରୀ ୨୦୨୩ ରେ ବିବାହ କରିଥିଲେ। ୨୦୨୧ ମସିହାରେ ଉଭୟଙ୍କର ‘ଶେରଶାହ’ ନାମକ ଏକ ଫିଲ୍ମ ରିଲିଜ ହୋଇଥିଲା। କୁହାଯାଏ ଯେ ଉଭୟଙ୍କ ପ୍ରେମ କାହାଣୀ ଏହି ଫିଲ୍ମର ଶେଟରୁ ଆରମ୍ଭ ହୋଇଥିଲା। ଏହି ଫିଲ୍ମରେ ମଧ୍ୟ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ହେଲେ ଦୁହେଁ ସେମାନଙ୍କ ସମ୍ପର୍କକୁ ଗୋପନ ରଖିଥିଲେ ଏବଂ ପରେ ବିବାହ କରିଥିଲେ।
କିଆରା ଆଡଭାନୀ ଖୁବ ଶୀଘ୍ର ହ୍ରିତିକ ରୋଶନଙ୍କ ସହ ‘ୱାର୍‌ ୨’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କ ହାତରେ ଆଉ ଏକ ବଡ଼ ଫିଲ୍ମ ଥିଲା। ତାହା ହେଉଛି ଫରହାନ ଅଖତରଙ୍କ ‘ଡନ ୩’। ଏଥିରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ କିଆରାଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଗର୍ଭଧାରଣ ଯୋଗୁ କିଆରା ଏହି ଫିଲ୍ମ ଛାଡି ଦେଇଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ‘ଡନ ୩’ରେ କିଆରାଙ୍କ ସ୍ଥାନ ନେଇଛନ୍ତି କ୍ରିତି ସାନନ।