ଲିଡ୍ସ,୨୬।୮: ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ପ୍ରଥମ ଦିନ ଭାରତ ମାତ୍ର ୭୮ରନ୍ କରି ଅଲଆଉଟ୍ ହେବା ପରେ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇଥିଲା। ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ବିନା ଉଇକେଟରେ ୧୨୦ ରନ୍ କରିଥିଲେ। ଏହି ସମୟ ମଧ୍ୟରେ ପଡ଼ିଆରେ ଏପରି କିଛି ଘଟିଥିଲା ଯାହା ବିବାଦର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ମହମ୍ମଦ ସିରାଜଙ୍କୁ ସେଠାକାର ଦର୍ଶକ ଖରାପ ବ୍ୟବହାର କରିଛନ୍ତି।
ଖୁବ୍ କମ୍ ରନ୍ରେ ଭାରତ ଅଲଆଉଟ୍ ହେବା ପରେ ଇଂଲଣ୍ଡର ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇଥିଲେ। ଏହି ସମୟରେ ସେମାନେ ଫିଲ୍ଡିଂ କରୁଥିବା ସିରାଜଙ୍କ ଉପରେ ବଲ୍ ଫୋପାଡ଼ିଥିଲେ। କେବଳ ଏତିକି ନୁହେଁ ଦର୍ଶକମାନେ ସିରାଜଙ୍କୁ ସ୍କୋର କେତେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବ ଦେଇଥିଲେ ସିରାଜ। ନିଜ ହାତରେ ୧-୦ ବୋଲି ସେ କହି ସମସ୍ତଙ୍କ ଜବାବ ଦେଇଥିଲେ। ସିରାଜଙ୍କ ଏପରି ଜବାବର କାରଣ ଥିଲା ଭାରତୀୟ ଦଳ ସିରିଜରେ ଆଗୁଆ ଅଛି ବୋଲି ସେମାନେ ଯେପରି ନ ଭୁଲନ୍ତୁ।
ପ୍ରଥମ ଦିନ ଖେଳ ଶେଷ ହେବା ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ କୋହଲିଙ୍କ ବିଷୟରେ ପଚରାଯାଇଥିଲା। ସେ ଜବାବ ଦେଇ କହିଥିଲେ, ମୋତେ ଲାଗୁଛି କେହି ସିରାଜଙ୍କ ଉପରକୁ ବଲ୍ ଫୋପାଡ଼ିଥିଲେ। ଏଥିଯୋଗୁ ବିରାଟ ରାଗିଯାଇଥିଲେ। ଯାହା କହିବା କଥା କୁହ, ହେଲେ ଫିଲ୍ଡର୍ସମାନଙ୍କ ଉପରେ ଜିନିଷ ଫୋପାଡ଼ିବା କ୍ରିକେଟ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ।
ତେବେ ପୂର୍ବରୁ ଲର୍ଡସ ଟେଷ୍ଟରେ କେଏଲ୍ ରାହୁଲ ସାମ୍ପେନ ବୋତଲର ଏକ କର୍କ ବାହାରକୁ ଫିଙ୍ଗିଥିଲେ। କେହି ଦର୍ଶକ ତାକୁ ମଇଦାନ ଭିତରକୁ ଫୋପାଡ଼ିଥିଲେ।