ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୪୭ ରନର ଟାର୍ଗେଟର ପିଛା କରୁଥିବା ଶ୍ରୀଲଙ୍କା ୧୬.୪ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଜ୍ୟାକ୍ସଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଇଂଲଣ୍ଡ ଆସନ୍ତା ୨୪ ତାରିଖରେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୦ ଓଭରରେ ୯ ଉଇକେଟ ହରାଇ ୧୪୬ ରନ କରିଥିଲା। ଦଳ ପାଇଁ ଫିଲିପ୍ ସଲ୍ଟ ୪୦ ବଲରେ ୬୨ (୬ ଚୌକା ଓ ୨ ଛକା) ଓ ଜ୍ୟାକ୍ସ ୨୧ (୪ ଚୌକା) ରନ କରିଥିଲେ। ଶ୍ରୀଲଙ୍କା ପାଇଁ ଦୁନିଥ ଓ୍ବେଲାଲେଜ ୩ ଉଇକେଟ ନେଇଥିବା ବେଳେ ଦିଲଶାନ ମଦୁଶଙ୍କା ଓ ମହିଶ ପାଥିରାନା ୨ ଲେଖାଏ ଉଇକେଟ ହାତେଇଥିଲେ।
ଜବାବରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୬.୪ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ଦାସୁନ ଶନାକା ୩୦ (୧ ଚୌକା ଓ ୨ ଛକା) ରନ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ବିଜୟୀ ଦଳ ଲାଗି ଜ୍ୟାକ୍ସ ୩ଟି ଉଇକେଟ ନେଇଥିବା ବେଳେ ଜୋଫ୍ରା ଆର୍ଚ୍ଚର, ଲିଆମ ଡସନ ଓ ଆଦିଲ ରସିଦ ୨ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।