Manchester: West Indies' captain Jason Holder, right, greets England's captain Joe Root after their win on the last day of the second cricket Test match between England and West Indies at Old Trafford in Manchester, England, Monday, July 20, 2020. AP/PTI Photo(AP21-07-2020_000002B)
ମାଞ୍ଚେଷ୍ଟର, ୨୨।୭-
ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୧୩ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡର ଏହା ୧୫୯ ମ୍ୟାଚରୁ ୫୦ତମ ଟେଷ୍ଟ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫୧ ଟେଷ୍ଟରୁ ସର୍ବାଧିକ ୧୧୦ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫୩ ମ୍ୟାଚରୁ ୬୪ତମ ବିଜୟ ହାସଲ କରିଛି। ଫଳରେ ଇଂଲଣ୍ଡ ପାଇଁ ଏହା ଥିଲା କୌଣସି ଦେଶ ବିପକ୍ଷରେ ତୃତୀୟ ସର୍ବାଧିକ ଟେଷ୍ଟ ବିଜୟ। ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୫ ମ୍ୟାଚରୁ ୪୮ ଓ ଭାରତ ବିପକ୍ଷରେ ୧୨୨ ମ୍ୟାଚରୁ ୪୭ ଟେଷ୍ଟ ବିଜୟ ହାସଲ କରିଛି।
ଓଲ୍ଡ ଟ୍ରାଫୋର୍ଡରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଦଳ କେବେହେଲେ ମ୍ୟାଚ ଜିତି ପାରିନାହିଁ। ମୋଟ ୯ଟି ଟେଷ୍ଟରେ ଏପରି ନିଷ୍ପତ୍ତି ହୋଇଥିବାବେଳେ ୭ଟି ମ୍ୟାଚ ଡ୍ର ରହିଛି ଏବଂ ଅବଶିଷ୍ଟ ୨ଟି ମ୍ୟାଚରେ ଦଳ ପରାଜିତ ହୋଇଛି। ଏଥର ଇଂଲଣ୍ଡ ନିକଟରୁ ଓ୍ବେଷ୍ଟଇଣ୍ଡିଜ ହାରିଛି। ୧୯୯୩ରେ ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଇଂଲଣ୍ଡ ହାରିଥିଲା। ଏଥିରେ ଶେନ ଓ୍ବର୍ନ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ପରାଜୟ ସ୍ବାଦ ଚଖାଇଥିଲେ।
ଟେଷ୍ଟର ଅନ୍ତିମ ଦିବସରେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଏହାକୁ ମିଶାଇ ୬ ଥର ପରାଜିତ ହୋଇଛି। ଅର୍ଥାତ୍ ଦଳ ୪ର୍ଥ ଇନିଂସରେ ପୂରା ଗୋଟିଏ ଦିନ ଖେଳିବାକୁ ସକ୍ଷମ ହୋଇନାହିଁ। ପୂର୍ବରୁ ୧୯୬୩ରେ ଏଜବାଷ୍ଟନଠାରେ ଇଂଲଣ୍ଡଠାରୁ, ୨୦୦୧-୦୨ରେ କାଣ୍ଡିଠାରେ ଶ୍ରୀଲଙ୍କା, ୨୦୦୯ରେ ଆର୍ନୋସ ଭାଲେଠାରେ ବାଂଲାଦେଶ, ୨୦୧୪ରେ ବ୍ରିଜଟାଉନଠାରେ ନ୍ୟୁଜିଲାଣ୍ଡ ଏବଂ ୨୦୧୬ରେ ଗ୍ରସ୍ ଆଇସଲେଟ ଭାରତଠାରୁ ହାରିଥିବାବେଳେ ୨୦୨୦ରେ ମାଞ୍ଚେଷ୍ଟରଠାରେ ଇଂଲଣ୍ଡଠାରୁ ପରାଜିତ ହୋଇଛି।
ଘରୋଇ ପରିବେଶରେ ସାମ୍ କୁରାନ ଖେଳିଥିବା ଟେଷ୍ଟରେ ଇଂଲଣ୍ଡ ଶତପ୍ରତିଶତ ବିଜୟ ସଫଳତା ପାଇଛି। ଅର୍ଥାତ୍ ସେ ଖେଳିଥିବା ୮ଟି ଯାକ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଛି। ଏ କ୍ଷେତ୍ରରେ କୁରାନ ଘରୋଇ ମାଟିରେ ପ୍ରଥମ ୮ଟି ଟେଷ୍ଟ ଖେଳି ସବୁଥିରେ ବିଜୟୀ ହୋଇଥିବା ଇଂଲଣ୍ଡ କେନ୍ ବାରିଙ୍ଗଟନ, ଏମଜେକେ ସ୍ମିଥ, ଆଣ୍ଡ୍ର୍ୟୁ ଷ୍ଟ୍ରସ, ଗେରାଣ୍ଟ ଜୋନ୍ସ ଓ ଟିମ୍ ବ୍ରେସନାନ୍ଙ୍କ ସହ ସମକକ୍ଷ ହୋଇଛନ୍ତି।