ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫ ରନର ଟାର୍ଗେଟକୁ ନେଇ ଓହ୍ଲାଇଥିବା ନେପାଳ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୬ ଉଇକେଟ ହରାଇ ୧୮୦ ରନ କରିପାରି ଥିଲା। ମ୍ୟାଚ୍ରେ ଇଂଲଣ୍ଡ ପାଇଁ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଓ୍ବିଲ ଜ୍ୟାକ୍ସଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଇଂଲଣ୍ଡ ଆସନ୍ତା ୧୧ ତାରିଖରେ ତା’ର ଦ୍ୱିତୀୟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍କୁ ଭେଟିବ।
ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ ରନ କରିଥିଲା। ଜବାବରେ ନେପାଳ ପାଓ୍ବରପ୍ଲେ ଓଭର ମଧ୍ୟରେ ଦୁଇ ଓପନର ଅସିଫ ଶେଖ (୭) ଓ କୁଶାଳ ଭୁର୍ତେଲ (୨୯ ରନ୍, ୪ ଚୌକା ଓ ୧ ଛକା)ଙ୍କୁ ହରାଇଥିଲା।
ଅଧିନାୟକ ରୋହିତ ପୌଡେଲ (୩୯ରନ, ୨ ଲେଖାଏ ଚୌକା ଓ ଛକା) ଓ ଦିପେନ୍ଦ୍ର ସିଂ ଆଇରି (୪୪ରନ, ୬ ଚୌକା ଓ ୧ ଛକା) ତୃତୀୟ ଉଇକେଟରେ ୫୪ ବଲରେ ଦ୍ରୁତ ୮୨ ରନ ଯୋଡ଼ିଥିଲେ। ହେଲେ ଦୁଇ ସେଟ୍ ବ୍ୟାଟର କ୍ରମାଗତ ଓଭରରେ ପାଭିଲିଅନ ଫେରିଥିଲେ।
ଶେଷ ଆଡ଼କୁ ଲୋକେଶ ବାମ ୨୦ ବଲରେ ବିସ୍ଫୋରକ ବ୍ୟାଟିଂ କରି ୩୯ (୪ ଚୌକା ଓ ୨ ଛକା) ରନ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସ ଯୋଗୁ ନେପାଳ ପାଖରେ ବିଜୟ ସୁଯୋଗ ସୃଷ୍ଟି ହୋଇଥିଲା। ଦଳକୁ ଅନ୍ତିମ ଓଭରରେ ଜିତିବା ପାଇଁ ୧୦ ରନ ଦରକାର ଥିବା ବେଳେ ନେପାଳ ୫ ରନ କରିପାରି ଥିଲା। ଫଳରେ ନେପାଳ ୨୦ ଓଭରରେ ୬ ଉଇକେଟ ହରାଇ ୧୮୦ ରନ କରିବାକୁ ସକ୍ଷମ ହୋଇଥିଲା