Categories: Home Leftଖେଳ

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ : ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୦।୧: କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବାତିଲ ହେବା ପରେ ଦୀର୍ଘ ମାସର ବ୍ୟବଧାନରେ ଦେଶକୁ ଫେରିବାକୁ ଯାଉଛି କ୍ରିକେଟ। ଏହି ସିରିଜ୍‌ ବେଳେ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଉପଭୋଗ କରିବା ଲାଗି ଷ୍ଟାଡିୟମ ଭିତରକୁ ଛଡ଼ା ଯାଇପାରେ। ଚେନ୍ନାଇର ଚେପକ୍‌ ଓ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ତେବେ ମ୍ୟାଚ୍‌ ଅବସରରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନୁମତି ଦେଇପାରେ।

ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ। ଫେବୃୟାରୀ ୫ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ସେହିପରି ଅନ୍ତିମ ଦୁଇଟି ଟେଷ୍ଟ ମୋଟେରାରେ ଆୟୋଜନ ହେବ। ଏବେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ଏ ନେଇ ବିସିସିଆଇ ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ) ଓ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ଏବଂ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।