ବଲାଙ୍ଗୀର,୨୬ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠା) ଯନ୍ତ୍ରୀ ଓ ଠିକାଦାରଙ୍କ ବିବାଦ ଏବେ ରୋଚକ ମୋଡ଼ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ କେତେଜଣ ଠିକାଦାର (ସି-କ୍ଲାସ୍) ଖବରଦାତା ସମ୍ମିଳନୀ ଡାକିଥିଲେ। ସେମାନେ କହିଥିଲେ, ୨୧ ତାରିଖର ଠିକାଦାର-ଯନ୍ତ୍ରୀ ବିବାଦ ନକରାତ୍ମକ ପରିବେଶ ସୃଷ୍ଟି କରିଛି। ଯେଉଁ ପୂର୍ତ୍ତ ଯନ୍ତ୍ରୀ ଓ ଅଫିସ ଷ୍ଟାଫ୍ ବଲାଙ୍ଗୀରର ଠିକାଦାରଙ୍କ ସ୍ବାର୍ଥ ଓ ବିକାଶ ପାଇଁ ଦିନରାତି କାମ କରୁଥିଲେ ଗତ ୫ ଦିନ ହେଲା ସେମାନଙ୍କ କାମ ଶିଥିଳ ହୋଇଯାଇଛି। ଯନ୍ତ୍ରୀ-ଠିକାଦାରଙ୍କ ବିବାଦ ପ୍ରଭାବ ପରୋକ୍ଷ ଭାବେ ଠିକାଦାରଙ୍କ ଉପରେ ପଡୁଛି। ଆଗକୁ ମାର୍ଚ୍ଚ ମାସ ଆସୁଛି। ୩/୪ ଶହ ଠିକାଦାର ବିଲ୍ ପାଇବେ ବୋଲି ଆଶା ରଖିଛନ୍ତି। ତେବେ ଅଫିସ କାମ ଶିଥିଳ ହୋଇଗଲେ ଠିକାଦାରମାନେ ବହୁତ ହଇରାଣ ହେବେ। ଯନ୍ତ୍ରୀ-ଠିକାଦାରଙ୍କ ଭିତରେ ସେଭଳି କିଛି ବିବାଦ ଆଉ ନାହିଁ। ଠିକାଦାରମାନେ ପୂର୍ତ୍ତ ବିଭାଗ ଅଫିସ ଷ୍ଟାଫ୍ଙ୍କ ସହ ସବୁବେଳେ ରହିଛନ୍ତି ଏବଂ ଏହା ଜଣାଇବାକୁ ଖବରଦାତା ସମ୍ମିଳନୀ କରିଥିବା ଠିକାଦାର ଅମିତ ମହାନ୍ତି ଓ ଗୁଞ୍ଜ ଖାନ୍ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିବା ଠିକାଦାର ପ୍ରେମ ରଞ୍ଜନ ପାଣିଗ୍ରାହୀ କହିଥିଲେ, ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯାହା ବିବାଦ ହୋଇଥିଲା ତାର ମୀମାଂସା ହୋଇଯାଇଛି। ଆଗକୁ ପୂର୍ତ୍ତ ଅଫିସ ଠିକ୍ ଯେଭଳି ଚାଲିବ ସେଇ ଉଦ୍ୟମ ହେଉଛି ବୋଲି କହିଥିଲେ। ଖବରଦାତା ସମ୍ମିଳନୀରେ ଠିକାଦାରମାନଙ୍କ ମତାମତ ଶୁଣି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଠିକାଦାରଙ୍କ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ କରାଯାଇଥିଲା ଏବଂ ଯନ୍ତ୍ରୀ ଠିକାଦାରଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଥିଲେ ତାହା କ’ଣ ମିଛ ଥିଲା କି ବୋଲି ପ୍ରଶ୍ନ କରିଥିଲେ। ତେବେ ଏସବୁ ବିଷୟରେ ଅଧିକ ଚର୍ଚ୍ଚା କି ଖବର ନ କରିବାକୁ ଠିକାଦାରମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ।
ଉକ୍ତ ଖବରଦାତା ସମ୍ମିଳନୀରେ ଠିକାଦାରମାନେ କହିଥିଲେ, ଯନ୍ତ୍ରୀ-ଠିକାଦାର ବିବାଦ ଏକପ୍ରକାର ଭୁଲ ବୁଝାମଣାରୁ ହୋଇଯାଇଥିଲା। ପ୍ରେସମିଟ୍ ବାହାରେ କେତେଜଣ ଠିକାଦାର କହିଥିଲେ, ଅଳ୍ପ କେତେ ‘ଖବରୀ’ ଏହି ଷଡଯନ୍ତ୍ର କରିଥିଲେ। ଏଥିରୁ ସେମାନେ ଲାଭ ଉଠାଇବାକୁ ଚାହୁଁଥିଲେ। ତେବେ ସେସବୁ ଫସର ଫାଟିଗଲା। ଠିକାଦାରମାନଙ୍କ ଅଧିକ କ୍ଷତି ହେଲା। ଏହି ବିବାଦର ସମାଧାନ ଶୀଘ୍ର ନହେଲେ ଶତାଧିକ ଠିକାଦାର ଅସୁବିଧାରେ ପଡିବେ। ଏଣୁ ଏହି ଉଦ୍ୟମ ହୋଇଛି ବୋଲି ଠିକାଦାରମାନେ କହିଥିଲେ। ଆଉ କେତେଜଣ ଠିକାଦାର କହିଛନ୍ତି, ଏହି ଘଟଣା ପରେ ଅଧୀକ୍ଷଣ ଯନ୍ତ୍ରୀ ଓ ଅଫିସ ଷ୍ଟାଫ୍ଙ୍କ ଉପରେ ମଧ୍ୟ ଏକପ୍ରକାର ଚାପ ସୃଷ୍ଟି ହୋଇଛି। ଗତ ୫ ଦିନର ଯନ୍ତ୍ରୀ-ଠିକାଦାର ବିବାଦ ଘଟଣାକୁ ଦେଖିଲେ ଠିକାଦାରମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହୋଇଥିବା ଜଣାପଡିଛି। ଯନ୍ତ୍ରୀ ଜିଲା ବାହାରର ଠିକାଦାରଙ୍କୁ କାମ ଦେଉଛନ୍ତି ବୋଲି ଯେଉଁ ଅଭିଯୋଗ କରିଥିଲେ ସେ ବିଷୟରେ ମଧ୍ୟ ଆଉ ଅଧିକ ଆଲୋଚନା କରିବାକୁ ଠିକାଦାରମାନେ ମନା କରିଥିଲେ। ଏ ସମ୍ପର୍କରେ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନାଙ୍କ ମତାମତ ମିଳିପାରି ନାହିଁ।