ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ୪୧ ଜଣଙ୍କ ଜବରଦଖଲ ଉଚ୍ଛେଦ ପାଇଁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବାହ୍ନରୁ ଉଚ୍ଛେଦ ଆରମ୍ଭ ହୋଇଛି। ନୂଆପଡ଼ା ଉପଜିଲାପାଳ ସୁର୍ମୀ ସୋରେନଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ସିନାପାଲି ତହସିଲଦାର ଉପାଞ୍ଜାଳି ମାଝୀ, ଖଡ଼ିଆଳ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ, ସିନାପାଲି ଆଇଆଇସି ଦୁର୍ଗାମାଧବ ବାଗ ପ୍ରମୁଖଙ୍କ ସମେତ ରାଜସ୍ବ ବିଭାଗୀୟ ଅଧିକାରୀ, ସିନାପାଲି ଓ ବୋଡ଼େନ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସିନାପାଲି ଖଡ଼ିଆଳ ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗଣ୍ଡାବାହାଲି ନିକଟରେ ବିବାଦୀୟ ହୋଇ ଅଟକି ରହିଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ନଚେତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ପରେ ପ୍ରଶାସନ ତତ୍ପରତା ଦେଖାଇ ଗଣ୍ଡାବାହାଲିଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ୫ତାରିଖ ସୁଦ୍ଧା ଜବରଦଖଲ ଉଚ୍ଛେଦ କରିବା ସହ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Dharitri – Odisha’s No.1 Odia Daily

Share