ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ମାପଚୁପରେ ସୀମିତ ରହିଯିବନି ତ ଉଚ୍ଛେଦ !

ବରଗଡ, ୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିଛି। ଏହି କ୍ରମରେ ଗୁରୁବାର ପୌର ପ୍ରଶାସନ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ରାସ୍ତା ମାପଚୁପ ଆରମ୍ଭ କରିଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ମାପଚୁପ କରୁଛନ୍ତି।

ସୂଚନା ମୁତାବକ ଗତ ୨୦୨୩ ମସିହାରୁ ଦାବି ଜୋର୍‌ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ସେତେବେଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୩ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ। ଏହାକୁ ନେଇ ଅସନ୍ତୋଷ ବଢି ଚାଲିଥିବା ବେଳେ ଗତ ୨୨ତାରିଖ ସ୍ଥାନୀୟ ସମଲେଶ୍ବରୀ ସଂଘର ଆହ୍ବାନରେ ନାଗରିକ ବୈଠକ ହୋଇଥିଲା। ଏଥିରେ ଜିଲା ଓକିଲ ସଂଘ ସମେତ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ସହରର ସଚେତନ ନାଗରିକମାନେ ଉପସ୍ଥିତ ଥିଲେ। ବୈଠକରେ ଉଚ୍ଛେଦ ନେଇ ଦୃଢ ଦାବି ହୋଇଥିବା ବେଳେ ସେଥିରେ ପ୍ରଶାସନିକ ଅପାରଗତାକୁ ନେଇ ଉଦବେଗ ପ୍ରକାଶ ପାଇବା ସହିତ ଆନ୍ଦୋଳନ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉଚ୍ଛେଦ କରା ନ ଗଲେ ଆନ୍ଦୋଳନ ପାଇଁ ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ତେବେ ଏଥର ଉଚ୍ଛେଦ ହେବ ନା ପୂର୍ବଭଳି କେବଳ ମାପଚୁପରେ ଉଚ୍ଛେଦ ସୀମିତ ରହିଯିବ, ସେଥିପ୍ରତି ସଭିଙ୍କ ନଜର ରହିଛି।