ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲକରି ଦୀର୍ଘବର୍ଷ ଧରି ରହି ଆସୁଥିଲେ। ଏହି ଜମିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ କରାଯାଇ ମେଶିନ ଲଗାଇ ଉଚ୍ଛେଦ କରାଯାଇଛି।
ଜବରଦଖଲ ଯୋଗୁ ହରିଆବାଙ୍କ ଗ୍ରାମର ଲୋକେ ରାସ୍ତାରେ ଯାତାୟାତ ପାଇଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିଲେ। ଏ ନେଇ ଗ୍ରାମର ଲୋକ ପ୍ରଶାସନକୁ ଅବଗତ କରିଥିଲେ। ବେଆଇନ ଭାବେ ଜବରଦଖଲକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗ୍ରାମବାସୀଙ୍କ ପକ୍ଷରୁ ପଶୁପତି ଜାନା ନ୍ୟାୟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢ଼ୀ ପରିଚାଳନା କରୁଥିଲେ। ହାଇକୋର୍ଟରେ ରିଟ ପିଟିଶନ (ଜନସ୍ବାର୍ଥ ମାମଲା) କେସ୍ ନମ୍ବର ୫୪୧୭/୨୫ ରୁଜୁହେବା ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ୨ ଜଣିଆ ଖଣ୍ଡପୀଠ ବିଚାରକରି ଅର୍ଡର ୧୯ା୩ା୨୦୨୫ ତୁରନ୍ତ ତଦନ୍ତ କରିବା ସହ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ସହ ୧୫ ଦିନ ମଧ୍ୟରେ କୋର୍ଟଙ୍କୁ ଅବଗତ କରିବା ପାଇଁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପୂର୍ବାହ୍ନରେ ମହାକାଳପଡ଼ା ତହସିଲଦାର ଶିବ ମଲିକଙ୍କ ସହ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବେଆଇନ ଭାବେ ଜବରଦଖଲରେ ଥିବା ସରକାରୀ ଜମି ମାପ ଚୁପ କରିବା ପରେ ମୁକ୍ତ ହୋଇଥିଲା। ଜବରଦଖଲ ଜମି ମାପଚୁପ ହୋଇଥିବା ଖରିନାସୀ ମୌଜା ଖାତା ନଂ. ୭୦ ଓ ପ୍ଲଟ୍ ନଂ. ୩୦୩ ଅର୍ନ୍ତଭୁକ୍ତ ୨ ଏକର ୧୨ ଡିସିମିଲି କିସମରେ ରାସ୍ତା। ସେହିପରି ଖାତା ନଂ. ୭୧, ପ୍ଲଟ୍ ନଂ. ୫୬ରେ ୩ ଏକର ୫୦ ଡିସିମିଲି କିସମରେ ଗୋଚର ଜମି ଓ ଅନ୍ୟ ଏକ ଖାତା ନଂ. ୭୧ରେ ପ୍ଲଟ ନଂ. ୨୫୨ ଏକର ୦ . ୫୨୦ ଡିସିମିଲି କିସମରେ ଗୋଚର ଜମିକୁ ଅମିନ ଉପସ୍ଥିତ ରହି ମାପଚୁପ କରି ତହସିଲଦାରଙ୍କୁ ଚିହ୍ନଟ ଦେଇଥିଲେ। ଉକ୍ତ ସରକାରୀ ଜମି ଚିହ୍ନଟ ପରେ ସିମେଣ୍ଟ ଖୁଣ୍ଟ ପୋତାଯାଇଛି। ଏ ନେଇ ଉଚ୍ଛେଦ ଓ ମାପଚୁପ ଜମି ଚିହ୍ନଟ ହୋଇଥିବା ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ତହସିଲ ରାଜସ୍ବ ସୁପରଭାଇଜର ନଳିନୀକାନ୍ତ ପୃଷ୍ଟି, ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା, ଅମିନ ଅଶୋକ ବେହେରା, ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ଜମ୍ବୁ ସାମୁଦ୍ରିକ ଥାନାର କର୍ମଚାରୀଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।