ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଉଠା ଦୋକାନୀଙ୍କ ଥଇଥାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପାଇଁ ଚାଲେଞ୍ଜ ରହିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ସଠିକ ଚି଼ହ୍ନଟ ହୋଇପାରି ନ ଥିବା ଆଲୋଚନା ହେଉଛି। ଚି଼ହ୍ନଟ ପ୍ରକ୍ରିୟା ଭିତରେ ଏବେ ଛଦ୍ମବେଶୀ ବ୍ୟବସାୟୀଙ୍କ ପାଇଁ ମୁଣ୍ଡବ୍ୟଥା ବଢିଥିବା ସରପଞ୍ଚ ଚନ୍ଦ୍ରିକା ମଲିକ ଚିନ୍ତା ପ୍ରକଟ କରିବା ସହ ପ୍ରଶାସନର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ଘଟୁଛି ବୋଲି କହିଛନ୍ତି।
ଅନେକ ଦାରିଙ୍ଗବାଡି ପଞ୍ଚାୟତବାସୀ ୫୯ ନଂ ଜାତୀୟ ରାଜପଥ କଡ଼ରେ ବସି ବ୍ୟବସାୟ କରି ପରିବାର ପ୍ରତିପୋଷଣ ହେଉଥିବାବେଳେ ସେମାନଙ୍କୁ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଥଇଥାନ କରାଯିବାକୁ ଦୋକାନ ଗୃହ ଯୋଗାଇଦେବାକୁ ନିଷ୍ପତି ନିଆଯାଇଛି। ଏହି ଖବର ଶୁଣି ଅନେକ ଦାରିଙ୍ଗବାଡିର ମୂଲ୍ୟବାନ ଜମି, ଦୋକାନ ଗୃହ ହାତେଇବାକୁ ଏବେ କସରତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଜଣା ଲୋକ ଦୋକାନ ଗୃହ ହାତେଇବାକୁ ଷଡଯନ୍ତ୍ର କରୁଥିବା ପଞ୍ଚାୟତ ପକ୍ଷରୁ କୁହାଯାଇଛି। ପ୍ରକୃତ ଉଠାଦୋକାନୀଙ୍କୁ ଚି଼ହ୍ନଟ କରି ସେମାନଙ୍କ ଥଇଥାନ ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ୨୪ଟି ଭେଣ୍ଡିଂ ଜୋନ ଗୃହ ସମେତ ହାଟପଦା ଓ ଖୋଲା ଜମିରେ ଉଠା ଦୋକାନୀଙ୍କ ପାଇଁ ସେଡ ନିର୍ମାଣ କରି ଥଇଥାନ ପାଇଁ ଯୋଜନା କରାଯାଇଛି ବୋଲି ସରପଞ୍ଚ କହିଛନ୍ତି। ଏବେ ସୁଦ୍ଧା ୧୨୮ଉଠା ଦୋକାନୀଙ୍କ ପକ୍ଷରୁ ଦୋକାନ ଗୃହ ଯୋଗାଇ ଦେବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଗୋଟିଏ ଦଶନ୍ଧି ପୂର୍ବରୁ ଅଗ୍ରିମ ୫ ହଜାର ପ୍ରଦାନ କରି ମଧ୍ୟ ଦୋକାନ ଗୃହ ପଞ୍ଚାୟତ ଯୋଗାଇଦେଇ ନ ଥିବା ଉଠାଦୋକାନୀ ତ୍ରିନାଥ ବେହେରା ଅଭିଯୋଗ କରିଛନ୍ତି। ତେବେ ୧୨୮ ଉଠା ଦୋକାନୀ ଆବେଦନ କରିଥିବାବେଳେ ମାତ୍ର ୨୪ଟି ଦୋକାନ ଗୃହ ରହିଛି। ତାକୁ କିଭଳି ଥଇଥାନ କରାଯିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ସରପଞ୍ଚ କହିଛନ୍ତି,ଯଦି ବ୍ୟବସାୟୀମାନେ ଭେଣ୍ଡିଂ ଜୋନକୁ ଯିବାକୁ ମଙ୍ଗନ୍ତି ତେବେ ଥଇଥାନରେ କୌଣସି ସମସ୍ୟା ହେବନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଦାରିଙ୍ଗବାଡି ବଜାରରେ ବୁଲି ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ଶୀଘ୍ର ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଶନିବାର ଜବରଦଖଲ ଉଚ୍ଛେଦ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା। କିନ୍ତୁ ଥଇଥାନ ବିଳମ୍ବ ଯୋଗୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଆଉ ୨ ଦିନ ସେମାନଙ୍କୁ ସମୟ ଦେଇଥିବା ବେଳେ ସୋମବାର ପ୍ରଶାସନ ଜବରଦଖଲ ଉଚ୍ଛେଦ କରିପାରେ ବୋଲି ଯୋଜନା କରୁଥିବା ଜଣାପଡିଛି।