କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ କଚାରୁ ପଞ୍ଚାୟତ ରାମପୁରବାସୀ କୁଆଁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚି ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ମୃତଦେହ ବ୍ୟବଚ୍ଛେଦ କରିବାକୁ ଦେବେ ନାହିଁ ବୋଲି ଜିଦ୍ରେ ରହିଥିଲେ।
ଶେଷରେ ରାଉରକେଲା ଡିଏଫ୍ଓ ଯଶୋବନ୍ତ ସେଠୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଗ୍ରାମବାସୀଙ୍କ ଦାବି ମୁତାବକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ପ୍ରଦାନ ସହ ପରିବାରର ଜଣଙ୍କୁ ବନ ବିଭାଗ ପକ୍ଷରୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଏଥିରେ ଏକ ପ୍ରକାର ସହମତି ପ୍ରକାଶ କରିଥିଲେ। ଏହାପରେ କୁଆଁରମୁଣ୍ଡା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ଗ୍ରାମବାସୀଙ୍କ ପକ୍ଷରୁ ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, ଲାଲୁ ସିଂଦେଓ, ରାଜେଶ କେରକେଟା, ସରପଞ୍ଚ ଝୁବା ଟପ୍ପୋ, ସମିତି ସଭ୍ୟ ଅଶ୍ୱିନୀ କେରକେଟା, ବିରାଧର ସିଂ ପ୍ରମୁଖଙ୍କ ସହ ଶତାଧିକ ମହିଳା/ପୁରୁଷ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ଦାବିକୁ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ମଧ୍ୟ ଯଥାର୍ଥ ଦର୍ଶାଇ ସମର୍ଥନ କରିଥିଲେ।
ସେହିପରି ବନ ବିଭାଗ ପକ୍ଷରୁ ଡିଏଫଓ ସେଠୀ, ଏସିଏଫ୍ ସୁଜିତ ସାହୁ, କୁଆଁରମୁଣ୍ଡା ରେଞ୍ଜର ପଞ୍ଚ ନାରାୟଣ ସରାଫ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି, ମୃତ ସମରା କୁଆଁରମୁଣ୍ଡା ବନ ରେଞ୍ଜରେ ଠିକା କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ। ସେ ବ୍ରାହ୍ମଣୀ ପାହାଡ଼ରେ ଲାଗିଥିବା ନିଆଁ ଲିଭାଉଥିଲା ବେଳେ ନିଜେ ଜଳି ଯାଇଥିଲେ। ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ତାଙ୍କର ମୃତ୍ୟୁ ହେଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ।