Categories: Home Leftଖେଳ

ଅଧାରୁ କ୍ରିଜ୍ ଛାଡି ପଳାଇବାକୁ ରିଜୱାନଙ୍କୁ କହିଲା ଟିମ୍, ବିଗ୍ ବ୍ୟାଶ୍ ଲିଗ୍‌ରେ ପ୍ରଥମ ଘଟଣା

ନୂଆଦିଲ୍ଲୀ,୧୨।୧: ବିଗ୍ ବ୍ୟାଶ୍ ଲିଗ୍‌ରେ ସୋମବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମେଲବର୍ଣ୍ଣ ରେନେଗେଡ୍‌ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପାକିସ୍ତାନୀ ବ୍ୟାଟର ମହମ୍ମଦ ରିଜୱାନଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଛି।

ରେନେଗେଡ୍‌ସ ପକ୍ଷରୁ ଖେଳୁଥିବା ରିଜୱାନଙ୍କୁ ମନ୍ଥର ବ୍ୟାଟିଂ ଯୋଗୁଁ ଅଧାରୁ କ୍ରିଜ୍ ଛାଡ଼ିବାକୁ ପଡ଼ିଛି। ସେ ୨୩ଟି ବଲ୍‌ରୁ ମାତ୍ର ୨୬ ରନ୍ କରିଥିବା ବେଳେ ୧୮ତମ ଓଭର ଶେଷରେ ଅଧିନାୟକ ୱିଲ୍ ସଦରଲ୍ୟାଣ୍ଡ ତାଙ୍କୁ ପଡ଼ିଆରୁ ବାହାରି ଆସିବାକୁ ସଙ୍କେତ ଦେଇଥିଲେ।

ଟି-୨୦ କ୍ରିକେଟ୍‌ରେ ଶେଷ ଓଭରଗୁଡ଼ିକରେ ଦ୍ରୁତ ରନ୍‌ର ଆବଶ୍ୟକତା ଥାଏ। ରିଜୱାନ କ୍ରିଜ୍‌ରେ ସେଟ୍ ହୋଇଥିଲେ ମଧ୍ୟ ବଡ଼ ଶଟ୍ ଖେଳିବାରେ ବିଫଳ ହେଉଥିଲେ। ତାଙ୍କ ଇନିଂସରେ ମାତ୍ର ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଦଳର ସ୍କୋରକୁ ବଢ଼ାଇବା ପାଇଁ ଅଧିନାୟକ ଜଣେ ବଡ଼ ହିଟରଙ୍କୁ ପଠାଇବାକୁ ଚାହୁଁଥିଲେ। ସେଥିପାଇଁ ସେ କୌଣସି ଆହତ ସମସ୍ୟା ନଥାଇ ମଧ୍ୟ ରିଜୱାନଙ୍କୁ ଫେରାଇ ଆଣିଥିଲେ, ଯାହାକୁ କ୍ରିକେଟ୍ ନିୟମରେ ‘ରିଟାୟର୍ଡ ଆଉଟ୍’ କୁହାଯାଏ।

ଏହି ନିଷ୍ପତ୍ତି ସତ୍ତ୍ୱେ ରେନେଗେଡ୍‌ସର ଶେଷ ଦୁଇ ଓଭର ବହୁତ ଭଲ ରହିନଥିଲା। ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୦ ରନ୍ କରିଥିଲା। ହାସନ ଖାନ ରେନେଗେଡ୍‌ସ ପକ୍ଷରୁ ସର୍ବାଧିକ ୪୬ ରନ୍ (୩୧ ବଲ୍) ସଂଗ୍ରହ କରିଥିଲେ।

ସୂଚନାଯୋଗ୍ୟ ଯେ, ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ୨୦୨୨ ଆଇପିଏଲ୍‌ରେ ପ୍ରଥମ କରି ଏଭଳି ରଣନୈତିକ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଥିଲେ। ବିଗ୍ ବ୍ୟାଶ୍ ଲିଗ୍ ଇତିହାସରେ ରିଜୱାନ ହେଉଛନ୍ତି ପ୍ରଥମ ବିଦେଶୀ ଖେଳାଳି, ଯିଏ ଏଭଳି ଭାବେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଛନ୍ତି। ଏହି ଘଟଣା ରିଜୱାନଙ୍କ ଭଳି ଜଣେ ଷ୍ଟାର ଖେଳାଳିଙ୍କ ପାଇଁ କିଛିଟା ଅପମାନଜନକ ବୋଲି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

Share